-
ସିବିଆଇ ତଦନ୍ତ ପାଇଁ ଦାବି କଲା କଂଗ୍ରେସ
ଭୁବନେଶ୍ୱର ,ବହୁଚର୍ଚିତ କ୍ୟାମେରାମେନ ମାନସ ସ୍ୱାଇଁ ହତ୍ୟା ମାମଲା ଆଜି ବିଧାନସଭାରେ ଉଠିଛି । ଏହି ମାମଲାରେ ପୀଡିତଙ୍କ ମା ରାଜ୍ୟର ଗୃହ ରାଷ୍ଟ୍ରମନ୍ତୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ନେଇଥିବାରୁ ଏହି ମାମଲାର ଜାଂଚ ସିବିଆଇକୁ ଦେବାକୁ ଦାବି ହୋଇଛି ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏହି ପ୍ରସଙ୍ଗକୁ ଉଠାଇଥିଲେ । ସେ କହିଥିଲେ ଯେ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ଶର୍ମିଷ୍ଠାକୁ ଗିରଫ କରାଯାଇନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ।
ସେ କହିଛନ୍ତି ଯେ ଏଥି ରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ହାତ ରହିଛି ବୋଲି ମାନସଙ୍କର ମା ଅଭିଯୋଗ କରିଛନ୍ତି । ତାଙ୍କ ଇଙ୍ଗିତରେ ହିଁ ହତ୍ୟା ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ । ଏହି ଘଟଣା ଠିକ ମମିତା ହତ୍ୟାକାଣ୍ଡ ଭଳି । ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି । ଆଉ ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଛି । ମାତ୍ର ସବୁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତରେ ତାଙ୍କ ନାମ ରହିଲା ନାହିଁ । ତେଣୁ ଏହି ମାମଲାରେ ନ୍ୟାୟ ପାଇଁ କ୍ରାଇମ ବ୍ରାଂଚ ବଦଳରେ ସିବିଆଇକୁ ଦେବା ପାଇଁ ସେ ଦାବି କରିଛନ୍ତି ।