ମାଲକାନଗିରି, ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦର ସମ୍ମିଳନୀ ଗୃହରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି । ଏଥିରେ ସର୍ବ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ମହା ସଚିବ କମଳାକାନ୍ତ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନର ଉପଦେଷ୍ଟା ଏବଂ ସମ୍ମାନିତ ଅତିଥି ଭାବେ ବବୁ ବାହାନ ( ସମ୍ବଲପୁର ), ଲିମ୍ବୁ ଚରଣ ଶିରା ( ନବରଙ୍ଗପୁର ), ସିମାଞ୍ଚଳ ପାଣିଗ୍ରାହୀ ( ମାଲକାନଗିରି ), ସ୍ବର୍ଣ୍ଣପ୍ରଭା ମେକପ ( ଭୁବନେଶ୍ବର ), ସବିତା ମହରା ( ବଲାଙ୍ଗିର ), ପି . ସୁଶୀଳା ( ନବରଙ୍ଗପୁର ), ଜୟନ୍ତୀ ଦେବତା ( ସମ୍ବଲପୁର ) ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ନୀଳକଣ୍ଠ ବେହେରାଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ସଂଚାଳିତ ହେଇଥିଲା ।
ଆଜିର ଆଲୋଚନାର ମୁଖ୍ୟ ବିଷୟ ଥିଲା ପେନସନ ସମ୍ବନ୍ଧୀୟ । ବିଗତ ଦିନରେ ସରକାର ପୁରୁଣା ପେନସନ ନିୟମକୁ ରଦ୍ଦ କରି ନୂତନ ପେନସନ ନୀତି ଲାଗୁ କରିଛନ୍ତି । ଯାହା ଗ୍ରହଣୀୟ ନୁହଁ । କାରଣ ଜଣେ ସରକାରୀ କର୍ମଚାରୀ ଅବସର ପରେ ସମ୍ପୂର୍ଣ ଭାବେ ପେନସନ ଉପରେ ନିର୍ଭର କରିଥାଏ । ପୂର୍ବରୁ ଦେଶର ଆର୍ଥିକ ଅବସ୍ଥା ଅନୁନ୍ନତ ଥିବାବେଳେ ମଧ୍ୟ ତତ୍କାଳୀନ ସରକାର କେବେବି କର୍ମଚାରୀ ମାରଣ ନୀତି ଲାଗୁ କରିନଥିଲେ । ଏବେ ଦେଶର ଆର୍ଥିକ ସ୍ଥିତି ପୂର୍ବାପେକ୍ଷା ବହୁତ ଭଲ ଥିବାବେଳେ ପୁରୁଣା ପେନସନକୁ ବଦଳାଇ ନୂତନ ନୀତି ଲାଗୁ କରିବା ଅତ୍ୟନ୍ତ ନିନ୍ଦନୀୟ । ସେଥିପାଇଁ କେବଳ ଶିକ୍ଷକ ନୁହଁ, ଅନ୍ୟାନ୍ୟ ସରକାରୀ କର୍ମଚାରୀ ମଧ୍ୟ ଏହାର ଦୃଢ଼ ପ୍ରତିବାଦ କଲେଣି । ସରକାର ଶିକ୍ଷକ ମାନଙ୍କୁ ଗୋତି ଶ୍ରମିକ ପରି ( ଶିକ୍ଷା ( ସ୍ଵେଚ୍ଛାସେବୀ ) ( ଶିକ୍ଷା ସହାୟକ ) ଭାବରେ ନାମମାତ୍ର ଦରମାରେ ଛଅ ସାତ ବର୍ଷ ଖଟେଇ ନିୟମିତ କରିବା ଦ୍ବାରା ଶିକ୍ଷକ ମାନଙ୍କ ମନରେ ସ୍ପୃହା ରହୁନାହିଁ । ଏହା ଉଦବେଗ ର ବିଷୟ ତେଣୁ କନିଷ୍ଠ କଣ୍ଟ୍ରାକଚୁଆଲ ଶିକ୍ଷକଙ୍କ ବିଷୟ ଗୁରୁତ୍ଵର ସହ ବିଚାର ବିମର୍ଷ କରି ଯଥା ଶୀଘ୍ର ନିୟମିତ କରିବା ପାଇଁ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବା ପାଇଁ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିକ୍ଷକ ମାନେ ମତ ଦେଇଥିଲେ । ଉକ୍ତ ମଞ୍ଚରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ, ବ୍ୟାସ କବି ସାହିତ୍ୟ ସଂସଦ ନୀଳଗିରି ବାଲେଶ୍ବରର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଯଚିନ୍ଦ୍ର ସ୍ବାଇଁଙ୍କ କବିତା ସଙ୍କଳନ ( ବୈରାଗୀ ) ଲୋକାର୍ପଣ କରାଯିବା ସହ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ମାଲ୍ୟବନ୍ତର ଶିକ୍ଷକ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସ୍ଵର୍ଣ୍ଣପ୍ରଭା ମେକପ, ଜୟନ୍ତୀ ଦେବତା, ଆଭାରାଣୀ ବିଶ୍ବାଳ, କେଦାର ନାଥ ବେହେରା, ଆଶିଶ ପାଲ, କମଳାକାନ୍ତ ସେଠୀ, ସବିତା ମହରା, ବୁଲୁନାଥ ତନ୍ତୀ, ଶେଷଦେବ ପ୍ରଧାନଙ୍କୁ ଶ୍ରେଷ୍ଠ ସଂଗଠକ ସମ୍ମାନ- ୨୦୨୨ ପ୍ରଦାନ ସହ ସ୍ଵତନ୍ତ୍ର ଭାବରେ ବୃଷକେତୁ ବେହେରା, ଗୌରାଙ୍ଗ ସାଜନ, ବାଲାରାଜୁ ପାଢୀ ଏବଂ ସିମାଞ୍ଚଳ ପାଣିଗ୍ରାହୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷଦେବ ପ୍ରଧାନ ଧନ୍ୟବାଦ ଅର୍ପଣ ପରେ ସମ୍ମିଳନୀ ଉଦଯାପିତ ହେଇଥିଲା ।