-
ସମସ୍ତ ସରକାରୀ ଓ ଘରୋଇ ବସ୍ ଚଳାଚଳ ବନ୍ଦ
-
ଦୋକାନ ବଜାର, ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ
ବଲାଙ୍ଗିର, ଟ୍ରେଡ଼ ୟୁନିଅନ ପକ୍ଷରୁ ୧୨ ଦଫା ଦାବି ଆଜି ଠାରୁ ଦେଶ ବ୍ୟାପୀ ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗିର ଜିଲାରେ ଆଜି ସକାଳ ଠାରୁ ସମସ୍ତ ସରକାରୀ ଓ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ଯାନବାହନ ଚଳାଚଳ ପ୍ରାୟତଃ ବନ୍ଦ ରହିଛି । ଦୋକାନ ବଜାର, ବ୍ୟାଙ୍କ, ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଛି । ହେଲେ ଜରୁରୀ ସେବା ଚାଲୁ ରହିଛି । ଜଳ ଯୋଗାଣ, ବିଦ୍ୟୁତ, ସ୍ୱାସ୍ଥ୍ୟସେବା ଓ ଅତ୍ୟାବଶ୍ୟକ ସାମଗ୍ରୀ ସେବା ସ୍ୱାଭାବିକ୍ ରହିଛି । ଆନ୍ଦୋଳନକାରୀ ମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ, ଡ଼ାକଘର, ବ୍ୟାଙ୍କ ଆଗରେ ପିକଟିଂ କରି ଏହାକୁ ବନ୍ଦ କରିଥିବା ବେଳେ ପରେ ବଲାଙ୍ଗିର ରେଲୱେ ଷ୍ଟେସନକୁ ଯାଇ ରେଳ ଧାରଣା ଉପରେ ଆନ୍ଦୋଳନକାରୀ ବସି ରହିଥିଲେ । ଫଳରେ ରେଳ ଚଳାଚଳ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା । ଆଶାକର୍ମୀ ଏବଂ ବିଭିନ୍ନ ଟ୍ରେଡ଼ ୟୁନିଅନର କର୍ମକର୍ତା ମାନେ କଚେରୀ ଛକ ଠାରେ ଜାତୀୟ ରାଜପଥ ଦୀର୍ଘ ସମୟ ଧରି ଅବରୋଧ କରିଥିଲେ । ଫଳରେ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଏପରିକି ଜନ ସାଧାରଣ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।
ଘରୋଇ ବସ୍ ମାଲିକ ସଂଘ ଆଜିର ବନ୍ଦକୁ ସମର୍ଥନ କରିଥିବା ବେଳେ ଆସନ୍ତା କାଲି ବସ୍ ଚଳାଚଳ ସ୍ୱାଭାବିକ୍ ହେବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ସମସ୍ତ ସ୍ଥାନରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅପରାହ୍ନ ୧ଟା ସୁଦ୍ଧା ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିଥିବା ବେଳେ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଖବର ମିଳିଛି ।