ଭୁବନେଶ୍ୱର,୪ଟି ଶ୍ରମ କୋଡ୍ ପ୍ରତ୍ୟାହାର, ରାଷ୍ଟ୍ରାୟତ ସଂସ୍ଥାର ଘରୋଇକରଣ ବନ୍ଦ, ତୈଳ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ଇପିଏଫ ସୁଧହାର ହ୍ରାସ ପ୍ରତ୍ୟାହାର ସମେତ ୧୨ ଦଫା ଦାବିରେ ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ପକ୍ଷରୁ ଦିଆଯାଇଥିବା ମାର୍ଚ୍ଚ ୨୮-୨୯ ଭାରତ ବନ୍ଦ ପରିପ୍ରେକ୍ଷୀରେ ଆଜି ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିଭିନ୍ନ ସଙ୍ଗଠନର କର୍ମୀମାନେ ପିକେଟିଂ କରିଛନ୍ତି ।
ସୋମବାର ସକାଳ ୬ଟାରେ ସିପିଆଇ,ଏଆଇଟିୟୁସି, ବିକେଏମୟୁ ଓ କୃଷକ ସଭାର ଶତାଧିକ କର୍ମୀ ଭୁବନେଶ୍ୱର ରେଳଷ୍ଟେସନରେ ପହଂଚି ଜନଶତାବ୍ଦୀ ଏକ୍ସପ୍ରେସ, ଲୋକମାନ୍ୟ ତିଲକ ଏକ୍ସପ୍ରେସ, ବଲାଙ୍ଗୀର ଇଂଟରସିଟି ଓ ପୁରୀ ରାଉରକେଲା ପାସେଞ୍ଜର ଟ୍ରେନ ସାମ୍ନାରେ ପିକେଟିଂ କରି ଏହି ସମସ୍ତ ଟ୍ରେନ୍କୁ ୨ଘଂଟା କାଳ ଅଟକାଇଥିଲେ । ଏପରିକି ଏଆଇଟିୟୁସିର ୨ଜଣ କର୍ମୀ ରେଳ ଲାଇନ ଉପରେ ଶୋଇରହିବା ଦେଖାଯାଇଥିଲା । ରେଳ ଷ୍ଟେସନଠାରେ ଅଖିଳ ଭାରତ କୃଷକ ସଭାର ରାଜ୍ୟ ସମ୍ପାଦକ କ୍ଷୀରୋଦ ପ୍ରସାଦ ସିଂହଦେଓ, ବିକେଏମୟୁ ବା ଭାରତୀୟ କ୍ଷେତ ମଜଦୁର ୟୁନିୟନର ରାଜ୍ୟ ସମ୍ପାଦକ ସୁର ଜେନା ଏବଂ ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ବିଜୟ ଜେନା ଏହି ପିକେଟିଂର ନେତୃତ୍ୱ ନେଇଥିଲେ ।
ଏହାପରେ ମାଷ୍ଟରକ୍ୟାଂଟିନସ୍ଥିତ ‘ମୋ ବସ୍’ଷ୍ଟାଣ୍ଡରେ ପିକେଟିଂ କରି ଗେଟ୍ରେ ତାଲା ପକାଇଦେଇଥିଲେ । ବିକ୍ଷୋଭକାରୀମାନେ ରାଜମହଲ ଛକଠାରେ ପିକେଟିଂ କଲାବେଳେ ଏଆଇଟିୟୁସିର ରାଜ୍ୟ ଉପସଭାପତି ନାରାୟଣ ରେଡ୍ଡି ପିକେଟିଂରେ ଯୋଗ ଦେଇଥିଲେ । ସେହିପରି ପୂର୍ବାହ୍ନରେ ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିବାବେଳେ ଏଆଇଟିୟୁସିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା ଏବଂ ସେଂଟ୍ରାଲ ବ୍ୟାଙ୍କ ସମ୍ମୁଖରେ ଅଲ୍ ଓଡ଼ିଶା ବ୍ୟାଙ୍କ କର୍ମଚାରୀ ଆସୋସିଏସନର ରାଜ୍ୟ ସମ୍ପାଦକ ପ୍ରଫୁଲ୍ଲ କୁମାର ତ୍ରିପାଠୀ ବିକ୍ଷୋଭ ଓ ପିକେଟିଂର ନେତୃତ୍ୱ ନେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବିପ୍ଳବ ମହାପାତ୍ର, ନମିତା ସାହୁ, ଡାକ ହେମ୍ବ୍ରମ୍, ମମତା ରାଉତ, ପାର୍ବତୀ ଲାଗୁରି ପ୍ରମୁଖ ବିଭିନ୍ନ ସ୍ଥାନରେ ପିକେଟିଂର ନେତୃତ୍ୱ ନେଇଥିଲେ ।