ଭୁବନେଶ୍ୱର, ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକର ନିଷ୍ପତି ସମ୍ପର୍କରେ ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ୨୦୨୫ ସୁଦ୍ଧା ଓଡିଶାକୁ ଏକ ଡାଟା ସେଂଟର ହବ୍ ରେ ପରିଣତ କରିବା ଲକ୍ଷ୍ୟରେ ଓଡିଶା ଡାଟା ସେଂଟର ପଲିସି -୨୦୨୨କୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଛି ।
ର୍ସେହିପରି ଗ୍ରୀଡକୋର ସରକାରୀ ଋଣ ତଥା ଏହାର ସୁଧ ବାବଦକୁ ୨୦୨୧ ଶେଷ ସୁଦ୍ଧା ମୋଟ ଦେୟ ୨୦୩୯.୬୯ କୋଟି ଟଙ୍କାକୁ ସରକାରୀ ମୂଳଧନରେ ପରିବର୍ତନ କରିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛି । ରାଜ୍ୟରେ ନିର୍ମାଣଧୀନ ୧୦ଟି ଶକ୍ତି ସଂରକ୍ଷଣ ପ୍ରକଳ୍ପର ୩୦ ଶତକଡା ସରକାରୀ ଅଂଶଧନ ବାବଦକୁ ୧୪୦ କୋଟି ଟଙ୍କା ପ୍ରଦାନ କରିବାକୁ ରାଜ୍ୟ କ୍ୟାବିନେଟ୍ ମଂଜୁରୀ ଦେଇଛନ୍ତି ।
ଓଡିଶା ସୂଚନା (ନିଯୁକ୍ତି ଓ ସେବା ସର୍ତାବଳୀ) ନିୟମାବଳୀ ୧୯୯୫ ଏବଂ ଓଡିଶା ସୂଚନା ସେବା (କନିଷ୍ଠ ବର୍ଗ) (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତାବଳୀ)ନିୟମାବଳୀ ୨୦୦୯ ପରିବର୍ତେ ଏକକ ଓଡିଶା ସୂଚନା ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତାବଳୀ) ନିୟମାବଳୀ ୨୦୨୨ ପ୍ରଣୟନ କରିବା ପ୍ରସ୍ତାବକୁ କ୍ରାବିନେଟ୍ ଅନୁମୋଦନ କରିଛନ୍ତି ।
ଏମଏସଏମଇ ଇ ସେକ୍ଟରରେ ମେଡିକାଲ ଅମ୍ଳଜାନର ରିଫିଲିଂ ଏବଂ ପୁନଃ ପ୍ୟାକେଜିଂକୁ ପ୍ରେତ୍ସାହିତ କରିବା ନିମନ୍ତେ ଓଡିଶା ଏମଏସଏମଇ ବିକାଶ ନୀତି ୨୦୧୬ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରଛନ୍ତି ।
ଓଡିଶା ଯାନ୍ତ୍ରିକ ସେବା ଆଇନ୍ ୨୦୨୧ ରେ ସଂଶୋଧନ କରାଯାଇ ଅଧୀକ୍ଷଣ ଯନ୍ତ୍ରୀ ଲେଭଲ -୧ ଓ ଲେଭଲ୍ ୨ କୁ ଏକତ୍ର କରାଯାଇ ନୂତନ ପଦବୀ ଅତିରିକ୍ତ ମୁଖ୍ୟମନ୍ତ୍ରୀ ଯନ୍ତ୍ରୀ ସୃଷ୍ଟି କରାଯାଇଛି । ଏହାସହ ଯାନ୍ତ୍ରିକ ପଦବୀ ସଂଖ୍ୟା ୧୪୭ରୁ ୧୯୦କୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।
ସେହିପରି କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ରାଜ୍ୟ କ୍ୟାବିନେଟ୍ ୨୫୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବକୁ ମଂଜୁର କରିଛନ୍ତି । କାଳିଆ ଯୋଜନାର ସଠିକ କାର୍ଯ୍ୟକାରିତା ଓ କୃଷକମାନଙ୍କ ଆୟ ବୃଦ୍ଧି ଲକ୍ଷ୍ୟରେ ୩ ବର୍ଷ ପାଇଁ ୫୯୩୩.୩୧ କୋଟି ଟଙ୍କା ବ୍ୟୟ ଅଟକଳକୁ ଅନୁମୋଦନ ମିଳିଛି ।
ଓଡିଶା କୃଷି ପରିସଂଖ୍ୟାନ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ଚାକିରୀ ସର୍ତାବଳୀ) ନିୟମାବଳୀ ୨୦୨୨କୁ କ୍ୟାବିନେଟକ ମଂଜୁରୀ ମିଳିଛି । ଓଡିଶା ସମବାୟ ସମୀକ୍ଷକ ବର୍ଗର ପୁନର୍ଗଠନ କରାଯାଇ ମୋଟ ପଦବୀ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି କରାଯାଇଛି । ପଂଚଦଶ ଅର୍ଥ କମିଶନଙ୍କୁ ସୁପାରିଶ ଆଧାରରେ ଓଡିଶା ଆର୍ଥିକ ଦାୟିତ୍ୱ ଏବଂ ବଜେଟ୍ ପରିଚାଳନା ଅଧିନିୟମ ୨୦୦୫ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛନ୍ତି ।
ଓଏମଏମସି ରୁଲ୍ସ ୨୦୧୬ରେ ସଂଶୋଧନକୁ କ୍ୟାବିନେଟ୍ ମଂଜୁରି ମିଳିଛି । ବିଜୁ ଶିଶୁ ସୁରକ୍ଷା ଯୋଜନା ଅଧୀନରେ ଆଶୀର୍ବାଦ ଯୋଜନାର ପ୍ରଚଳନକୁ ଅନୁମୋଦନ କରାଯାଇଛି । ମା ସମଲେଶ୍ୱରୀ ମନ୍ଦିର କ୍ଷେତ୍ରର ବିକାଶ ପାଇଁ ୟୁଆରସି କନଷ୍ଟ୍ରକସନ୍ ର ୧୧୪କୋଟି ୨୦ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି । ୧୮ ମାସ ମଧ୍ୟରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ସେହିପରି ଅବଢା ଯୋଜନାରେ ପୁରୀର ବିକାଶ ପାଇଁ ବିସି ଭୂୟାଁ କନଷ୍ଟ୍ରକସନ୍ ର ୧୦୨ କୋଟି ୪୦ ଲକ୍ଷ ଟଙ୍କାର ଟେଣ୍ଡରକୁ ଅନୁମୋଦନ ମିଳିଛି ।
ଭବାନୀପାଟଣାରେ ୬୫୦ ଶଯ୍ୟା ବିଶିଷ୍ଟ ଏକ ସରକାରୀ ଭେଷଜ ଚିକିତ୍ସାଳୟ ସ୍ଥାପନ ପାଇଁ ଆଇରନ୍ ଟ୍ରାଏଙ୍ଗଲ ଲିମିଟେଡ୍ ର ୧୬୧.୧୫ କୋଟି ଟଙ୍କାର ନିବିଦାକୁ କ୍ୟାବିନେଟ୍ ମଂଜୁର କରିଛନ୍ତି । ଏହି କାର୍ଯ୍ୟ ୩୦ ମାସରେ ଶେଷ ହେବ ।
ଅନ୍ୟପକ୍ଷରେ ମୟୁରଭଂଜ ଜିଲ୍ଲାର ସୁବର୍ଣ୍ଣରେକା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ବଇଶିଙ୍ଗା ଶାଖାକେନାଲର ୩୦କିମି ରୁ୪୫ କିମି ପର୍ଯ୍ୟନ୍ତ ନିର୍ମାଣ ପାଇଁ ୯୨ କୋଟି ୭୪ ଲକ୍ଷ ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ମଂଜୁର କରିଛନ୍ତି । ଏହି ପ୍ରକଳ୍ପ ୨ ବର୍ଷ ମଧ୍ୟରେ ଶେଷ ହେବ ଏବଂ ଜିଲ୍ଲାର ୮୧୮୨ ହେକ୍ଟର ଜମିକୁ ଜଳସେଚନ ହେବ ।
ଏହା ବ୍ୟତୀତ ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାକୁ ୮୨୩.୪୫ କୋଟି ଟଙ୍କାରେ ଆଗାମୀ ୫ ବର୍ଷ କାର୍ଯ୍ୟକ୍ଷମ କରାଇବା ପାଇଁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛନ୍ତି ।