ଭୁବନେଶ୍ୱର, ଆଜି ପୌର ଭୋଟ୍ ଗଣତି ହେବ । ଶନିବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । ଗତକାଲି ରାଜ୍ୟ ନିର୍ବାଚନ କମିଶନରଙ୍କ ସଚିବ ଆର.ଏନ୍ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଗୋଟିଏ ୱାର୍ଡର ସବୁ ବୁଥ୍ ସରିଲେ ରେଜଲ୍ଟ ଘୋଷଣା କରାଯିବ । ପ୍ରଥମେ ନିର୍ବାଚନରେ ନିୟୋଜିତ କର୍ମଚାରୀ ଦେଇଥିବା ପୋଷ୍ଟାଲ ବାଲାଟ ଗଣତି ହେବ । ଏହାପରେ ଇଭିଏମ୍ ଭୋଟ୍ ଗଣତି କରାଯିବ । ଧାମନଗର ଏନ୍ଏସିରେ ଭୋଟ୍ ଗଣତି ବନ୍ଦ ରଖାଯିବାକୁ ନିଷ୍ପତି ନିଆଯାଇଛି ।
କାଉନସିଲର ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପୌରାଧ୍ୟକ୍ଷ ଭୋଟ୍ ଗଣତି ପାଇଁ ପ୍ରତି ଏନଏସିରେ ୨ଟି ଟେବୁଲ ରହିବ । କାଉନସିଲର ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, ଚେୟାରମ୍ୟାନ୍ ଭୋଟ୍ ଗଣତି ପାଇଁ ମୁନସିପାଲିଟିରେ ସର୍ବାଧିକ ୫ଟି ଟେବୁଲ, କର୍ପୋରେଟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ, ମେୟର ଭୋଟ୍ ଗଣତି ପାଇଁ ମୁନସିପାଲ କର୍ପୋରେସନରେ ୧୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି । ପ୍ରତି କାଉଂଟିଂ ଟେବୁଲରେ ଜଣେ ଜଣେ ସୁପରଭାଇଜର ରହିବେ । ସେମାନଙ୍କ ସହ ଜଣେ କାଉଂଟିଂ ଆସିଷ୍ଟାଂଟ୍ ନିୟୋଜିତ ରହିବେ । ଏମାନଙ୍କୁ ସାହାଯ୍ୟ ପାଇଁ ଜଣେ ଜଣେ ଗ୍ରୁପ୍-ଡି କର୍ମଚାରୀ ନିୟୋଜିତ ହେବେ ।
ସେ ଆହୁରି କହିଛନ୍ତି ଯେ ଯେଉଁଠି ଯେତିକି ଟେବୁଲ କାଉଂଟିଂ ହେଉଛି ସେଠି ସେତିକି ଏଜେଂଟ ଦେଇପାରିବେ । ଏଜେଂଟ ହେବାକୁ ଚାହୁଁଥିଲେ ଆଜି ସନ୍ଧ୍ୟା ୫ଟା ଭିତରେ ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ପାଖରେ ବାୟୋଡାଟା ଦାଖଲ କରିବାକୁ ପଡ଼ିବ । ଭୋଟ୍ ଗଣତିର ପୂରା ପ୍ରକ୍ରିୟା ସିସିଟିଭି ନଜରରେ ରହିବ ।
ତେବେ ଧାମନଗରରେ ପୌର ଭୋଟ୍ ଗଣତି ବନ୍ଦ ରଖିବାକୁ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି ।
ଉଲ୍ଲେଖନୀୟ ଯେ ଗତ ୨୪ ତାରିଖରେ ରାଜ୍ୟର ୪୭ଟି ପୌର ପରିଷଦ ଓ ୫୯ଟି ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୨୫ଟି ୱାର୍ଡର ୪୩୬୦ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଜି ପ୍ରାୟ ୬ହଜାରରୁ ଉର୍ଦ୍ଧ୍ୱ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅପରପକ୍ଷରେ ୭୩ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇସାରିଛନ୍ତି ।