ଭୁବନେଶ୍ୱର, ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପରେ ଇଭିଏମ ରଖା ଯାଇଥିବା ଷ୍ଟ୍ରଙ୍ଗରୁମରେ ଅନଧିକୃତ ବ୍ୟକ୍ତି ପ୍ରବେଶ ନେଇ ଉତେଜନା ଦେଖା ଯିବା ପ୍ରସଙ୍ଗ ଶନିବାର ଦିନ ବିଧାନସଭାରେ ଉଠିଛି ।
ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ଗଣତନ୍ତ୍ରରେ ନିର୍ବାଚନ ପ୍ରକ୍ରିୟା କେବଳ ସ୍ୱଚ୍ଛ ହେବା ଜରୂରୀ ନୁହେଁ ବରଂ ଏହା ସ୍ୱଚ୍ଛ ଥିବା ଭଳି ଦେଖା ଯିବା ଦରକାର । ଗତକାଲି ରାତ୍ରୀରେ ଯେଉଭଳି ଭାବେ ଏହି ଘଟଣା ଘଟିଲା ଓ ଯେଭଳି ଭାବେ ବିଭିନ୍ନ ସମ୍ବାଦପତ୍ରରେ ଏ ସମ୍ପର୍କରେ ଖବର ମାନ ପ୍ରକାଶ ପାଇଛି ସେଥିରୁ ଅନେକ ପ୍ରଶ୍ନ ଉଠୁଛି । ଏହା ଗଣତନ୍ତ୍ର ପାଇଁ ଅତ୍ୟନ୍ତ ବିପଜ୍ଜନକ ବୋଲି ସେ କହିଥିଲେ ।
ସେ କହିଛନ୍ତି ଯେ ଏତେ ବିପୁଳ ଭୋଟରେ ବିଜୟ ଲାଭ କରୁଥିବା ଦଳ ଏପରି କାମ କାହିଁକି କରୁଛି ବୋଲି ସେ ପ୍ରଶ୍ନ କରିଥିଲେ । ସେ ବଲାଙ୍ଗୀର ଜିଲ୍ଲାର ଅନେକ ଉଦାହରଣ ଦେଇ କହିଥିଲେ ଯେ କ୍ଷମତାସୀନ ଦଳ ଅନେକ ପ୍ରକାର ଅସଦ ଉପାୟ ଅବଲମ୍ବନ କରୁଛି । ଏହାର ବିରୋଧ କରୁଥିବା ଲୋକଙ୍କୁ ପୋଲିସ ଗିରଫ କରୁଛି । ମଦ ଓ ଅର୍ଥ ବାଂଟୁ ଥିବା ଲୋକ ମାନଙ୍କୁ ପୋଲିସ କିଛି କରୁ ନାହିଁ । ଏପରି କରା ଯିବା ଗଣତନ୍ତ୍ର ଓ ସମ୍ବିଧାନ ପାଇଁ ବିପଦ ବୋଲି ସେ କହିଛନ୍ତି ।