-
ଦୁଇ ସରକାରୀ କର୍ମଚାରୀଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ଚେତାବନୀ
ନବରଙ୍ଗପୁର, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ଥାନା ଅଂଚଳରେ ଦୁଇଟି ସ୍ଥାନରେ ବ୍ୟାନର ଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । କୁନ୍ଦେଇ ଗ୍ରାମ ଏକ ସୀମାନ୍ତ ତଥା ମାଓ ପ୍ରବଣ ଅଂଚଳ ହୋଇଥିବା ବେଳେ ମାଓବାଦୀ ମାନେ ଏଠାରେ ବିଭିନ୍ନ ସମୟରେ ପୋଷ୍ଟର ବ୍ୟାନର ଲଗାଇ ନିଜର ଉପସ୍ଥିତି ଜାହିର କରି ଆସୁଛନ୍ତି ।
ଅନୁରୂପ ଭାବେ ଆଜି ସକାଳେ ହାଟ ଭାରଣ୍ଡୀ ଠାରୁ କୁନ୍ଦେଇ ଯିବା ରାସ୍ତାରେ ମାଓବାଦୀଙ୍କ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ସବୁ ପୋଷ୍ଟର, ବ୍ୟାନର ମେନପୁର ଡିଭିଜନାଲ ମାଓବାଦୀ କମିଟି ପକ୍ଷରୁ ଲଗାଯାଇଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟ ରଞ୍ଜନ ସାହୁ ଓ କିରାଣୀ ଗୋବିନ୍ଦ ସରକାର ଏହି ଦୁଇ ସରକାରୀ କର୍ମଚାରୀଙ୍କୁ ପ୍ରଜାକୋର୍ଟରେ ହାଜର ହେବାକୁ ପୋଷ୍ଟର ମାଧ୍ୟମରେ କଡ଼ା ଚେତାବନୀ ଦେଇଛି ମାଓ ସଂଗଠନ । ହଜାର ହଜାର ଗରିବ ଜନସାଧାରଣଙ୍କୁ ଶୋଷଣ କରୁଥିବା ଡାକ୍ତର ଓ କିରାଣୀଙ୍କୁ ଟାର୍ଗେଟ କରିଛି ନକ୍ସଲ ସଂଗଠନ । ଆଜି ସକାଳେ ଏ ସମ୍ପର୍କରେ ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠି ସଦଳବଳେ ଘଟଣାସ୍ଥଳରେ ପହଂଚି ଲାଗିଥିବା ପୋଷ୍ଟରକୁ ଜବତ କରିଛନ୍ତି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।