ଭୁବନେଶ୍ୱର, ଓଡିଶା ବିଧାନସଭାର ବଜେଟ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭାରେ ଦିବଙ୍ଗତ ଆସୀନ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ, ପୂର୍ବତନ ବିଧାୟକ ଓ କରୋନା ଯୋଦ୍ଧାଙ୍କ ପାଇଁ ଶୋକ ପ୍ରସ୍ତାବ ପାରିତ କରା ଯାଇଛି ।
ରାଜ୍ୟପାଳଙ୍କ ଅଭିଭାଷଣ ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶୋକ ପ୍ରସ୍ତାବ ଆଣିବାକୁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଥିଲେ । ତଦନୁଯାୟୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାର ଆସୀନ ସଦସ୍ୟ ତଥା ପୂର୍ବତନ ବାଚସ୍ପତି ସ୍ୱର୍ଗତଃ କିଶୋର କୁମାର ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ହେମାନନ୍ଦ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ରାମକୃଷ୍ଣ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତଃ ଦୁର୍ଯ୍ୟୋଧନ ମାଝୀ, ପୂର୍ବତନ ଉପ ମନ୍ତ୍ରୀ ସ୍ୱର୍ଗତ ଦେବରାଜ ସାହୁ, ପୂର୍ବତନ ବିଧାୟକ ସ୍ୱର୍ଗତଃ ଉଦୟ ନାରାୟଣ ଦେବ, ସ୍ୱର୍ଗତଃ ବିଜୟ କୁମାର ଜେନା, ସ୍ୱର୍ଗତଃ କାଙ୍ଗାଳୀ ଚରଣ ପଣ୍ଡା, ସ୍ୱର୍ଗତଃ ରୋଶନୀ ସିଂହଦେଓ, ସ୍ୱର୍ଗତଃ ଅଜିତ ଦାସ , ସ୍ୱର୍ଗତ ରାଜୀବ ଲୋଚନ ହୋତା, ଓ କରୋନା ସଂକ୍ରମଣ ଭଳି କଠିନ ପରିସ୍ଥିତି ମୁକାବିଲା ବେଳେ ରାଜ୍ୟବାସୀଙ୍କ ସେବାରେ ନିୟୋଜିତ ହୋଇ ପ୍ରାଣବଳୀ ଦେଇଥିବା ସମସ୍ତ କରୋନା ଯୋଦ୍ଧାଙ୍କ ପାଇଁଶୋକ ପ୍ରସ୍ତାବ ଆଣିଥିଲେ । ବିରୋଧୀ ଦଳ ପକ୍ଷରୁ ବିରୋଧୀ ଦଳର ଉପନେତା ବିଷ୍ଣୁ ଚରଣ ସେଠୀ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ସିପିଏମ ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଏହାକୁ ସମର୍ଥନ କରିଥିଲେ । ଏହା ପରେ ବାଚସ୍ପତି ଦିବଙ୍ଗତ ମାନଙ୍କ ବିଷୟରେ ସୂଚନା ଦେଇଥିଲେ । ଗୃହରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଦିବଙ୍ଗତ ଆତ୍ମାଙ୍କ ସଦଗତି ପାଇଁ ଏକ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା ।