-
ନବୀନ ବାବୁ ସବୁ ଜାଣିଶୁଣି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରୁଛନ୍ତି-ପୃଥ୍ୱୀରାଜ ହରିଚନ୍ଦନ
-
ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ପୋଲିସ ହେପାଜତରେ ଥାଇ ନମ୍ବର ପ୍ଲେଟ୍ ବଦଳିବା ପୋଲିସ ପ୍ରଶାସନର ପାରିବାପଣିଆକୁ ଦର୍ଶାଉଛି ଏବଂ ଏହି ମାମଲା ସର୍ବସାଧାରଣରେ ପ୍ରଶ୍ନବାଚୀ
-
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳିରେ ଚାରି ଜଣଙ୍କ ହତ୍ୟା ଘଟଣାରୁ ସାରା ଓଡ଼ିଶାର ଆଇଶୃଙ୍ଖଳାର ପରସ୍ଥିତି ଅନୁମେୟ
-
ଓଡ଼ିଶାରେ ଶାନ୍ତି ବଜାୟ ରଖିବା ସହ ସେମାନଙ୍କୁ ନ୍ୟାୟ ଦେବା ପାଇଁ ଚିନ୍ତା କରନ୍ତୁ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ଜାଣିଶୁଣି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରୁଛନ୍ତି ବୋଲି ବିଜେଡ଼ି ନେତା ପ୍ରଣବ ପ୍ରକାଶ ଦାସଙ୍କ ଟ୍ୱିଟ୍ର ପ୍ରତିଜବାବରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ଶ୍ରୀ ହରିଚନ୍ଦନ ଟ୍ୱିଟ୍ କରିଛନ୍ତି ଯେ ପ୍ରଣବ ପ୍ରକାଶ ଦାସ, ଆମ ନେତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାଇ ଦିଲ୍ଲୀରେ ଥାଇ ଓଡ଼ିଶା ବାବଦରେ ସମ୍ପୂର୍ଣ୍ଣ ଅବଗତ ଥାଆନ୍ତି ଏବଂ ସବୁ ବିଷୟରେ ପୁଙ୍ଖାନୁପୁଙ୍ଖ ଜାଣି ମତ ରଖିଥାନ୍ତି । ତୁମର ନେତା ନବୀନ ପଟ୍ଟନାୟକ ଭୁବନେଶ୍ୱରରେ ରହି ସବୁ ଜାଣି ବି ମୁହଁ ନ ଖୋଲି ଦଳୀୟ ଲୋକଙ୍କୁ ସୁହାଇଲା ଭଳି ଅପରାଧୀ ନେତାଙ୍କୁ ଖସାଇବା ପାଇଁ ଯୋଜନା କରନ୍ତି ।
ତୁମ ସରକାର କଳାକୁ ଧଳା କରିବାରେ ଧୂରନ୍ଦର । ଖୋର୍ଦ୍ଧା ଜିଲ୍ଲା ବାଣପୁର ଘଟଣା ପରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ପୋଲିସ ହେପାଜତରେ ଥିଲା । ତେବେ କିଭଳି ନମ୍ବର ପ୍ଲେଟ୍ ବଦଳିଲା, ତାହା ତୁମ ପୋଲିସ ପ୍ରଶାସନର ପାରିବାପଣିଆକୁ ଦର୍ଶାଉଛି ଏବଂ ଏହି ମାମଲା ସର୍ବସାଧାରଣରେ ପ୍ରଶ୍ନବାଚୀ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳି ହିଞ୍ଜିଳି ସହରରେ ଚାରି ଜଣଙ୍କ ହତ୍ୟା ହେଲା । ଏପର୍ଯ୍ୟନ୍ତ ପୋଲିସର ତଦନ୍ତ କେଉଁଠି ଅଛି, କେଉଁ ଅବସ୍ଥାରେ ଅଛି, କେବେ ତଦନ୍ତ ଶେଷ ହେବ, ତାହା ପ୍ରଶ୍ନବାଚୀ । ଏଥିରୁ ସାରା ଓଡ଼ିଶାର ଆଇଶୃଙ୍ଖଳା କ’ଣ ହେବ, ଏଥିରୁ ଅନୁମେୟ ।
ଓଡ଼ିଶାର ଲୋକ ହିଂସାକୁ ପ୍ରଶୟ ଦିଅନ୍ତି ନାହିଁ । ତୁମ ଦଳର ନେତା ଓ ବିଧାୟକ ମାନଙ୍କ ଦ୍ୱାରା ପ୍ରାୟୋଜିତ ହିଂସାର ପରିଣାମ ଓଡ଼ିଶା ଆଜି ଭୋଗୁଛି, ଯାହା ତୁମେ ଭଲ ଭାବରେ ଜାଣିଛ । ପଶ୍ଚିମବଙ୍ଗରେ ସରକାର ହିଂସାକୁ ଯେଉଁଭଳି ଭାବରେ ପ୍ରଶୟ ଦେଉଛି, ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ଦେଖାଯାଉଛି । ତୁମେ ତୁମର ମୁଖିଆଙ୍କୁ ଭଲରେ ବୁଝାଇ ଓଡ଼ିଶାର ଜନସାଧାରଣ ଶାନ୍ତିରେ କେମିତି ରହିପାରିବେ ଓ ନ୍ୟାୟ ପାଇବେ, ତା’ ପାଇଁ ଚେଷ୍ଟା କଲେ ଭଲ ହୁଅନ୍ତା ବୋଲି ବିଜେପି ସାଧାରଣ ସମ୍ପାଦକ ଶ୍ରୀ ହରିଚନ୍ଦନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ।