ପଟ୍ଟାମୁଣ୍ଡାଇ, ଆଜି ସୁରୁଖୁରୁରେ ଚାଲିଛି ପୌର ଏବଂ ଏନଏସି ନିର୍ବାଚନ ପାଇଁ ଭୋଟଗ୍ରହଣ । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଚଂଳରେ ଆଜି ୨୦ଗୋଟି ୱାର୍ଡ ନିମନ୍ତେ ଭୋଟଗ୍ରହଣ ଅନୁଷ୍ଠିତ ହେଉଛି । ଯାହାକୁ ନେଇ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସଡିପିଓ ସଂଧ୍ୟାରାଣୀ ବେହୁରାଙ୍କ ନେତୃତ୍ୱରେ ପଟ୍ଟାମୁଣ୍ଡାଇ ପୋଲିସ୍ ଅଧିକାରୀ ତପନ କୁମାର ରାଉତଙ୍କ ନେତୃତ୍ୱରେ ଫ୍ଲାଗମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଥାନା ପରିସରରୁ ପୋଲିସ୍ ଫ୍ଲାଗ ମାର୍ଚ୍ଚରେ ବାହାରି ବଜାର ପରିକ୍ରମା କରିବା ସହିତ ବିଭିନ୍ନ ୱାର୍ଡ ମଧ୍ୟ ବୁଲିଥିଲେ । ଏହା ସହିତ ସମ୍ବେଦନଶୀଳ ଏବଂ ଅତି ସମ୍ବେଦନଶୀଳ ବୁଥ ଉପରେ ମଧ୍ୟ ପୋଲିସ୍ ନଜର ରଖିଛି ।
ପଟ୍ଟାମୁଣ୍ଡାଇ ପୌର ପରିଷଦରେ ସମୁଦାୟ ୨୦ଟି ୱାର୍ଡଥିବା ବେଳେ ମୋଟ ୨୯୮୫୭ ଜଣ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ମହିଳା ଭୋଟର ୧୪୨୮୧ ଜଣ ଓ ପୁରୁଷ ଭୋଟର ୧୫୫୭୬ ଜଣ ରହିଛନ୍ତି । ଚଳିତ ନିର୍ବାଚନରେ ସମୁଦାୟ ୬୩ ଜଣ କାଉନସିଲର ପ୍ରାର୍ଥୀ ଓ ୮ ଜଣ ଚେୟାରମ୍ୟାନ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।
ଗତ ନିର୍ବାଚନର ବିଜେଡି ୧୨ଟି, କଂଗ୍ରେସ ୬ଟି କାଉନସିଲର ଆସନ ହାତେଇ ଥିବା ବେଳେ ଗୋଟିଏ ସିଟ୍ ସ୍ୱାଧୀନ ପ୍ରାର୍ଥୀ ହାତେଇ ଥିଲେ । ମୋଟ ୩୪ ଟି ବୁଥ୍ ମଧ୍ୟରୁ ସମ୍ବେଦନଶୀଳ ବୁଥ ୪ଟି,ଅତି ସମ୍ବେଦନଶୀଳ ବୁଥ୍ ୧୯ ଟି, ପିଙ୍କ ବୁଥ୍ ୩ ଟି, ମଡେଲ ବୁଥ୍ ୪ ଟି ଓ ସାଧାରଣ ବୁଥ୍ ୪ଟି ଚିହ୍ନଟ କରାଯାଇଛି । ପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥାକୁ ସୁଚାରୁ ରୂପେ ସମ୍ପାଦନ କରିବାକୁ ଚେଷ୍ଟା କରାଯାଇଛି ।ଗତକାଲି ରାତିରେ ୧୫ ନମ୍ବର ୱାର୍ଡ ଅଳଭା ଗ୍ରାମରେ ରାଜନୈତିକ ହିଂସାକାଣ୍ଡ ହୋଇଥିଲା । ଏବେ ସେଠାରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।