ଭୁବନେଶ୍ୱର, ଶହ ଶହ ବର୍ଷର ସଂଗ୍ରାମ ଫଳରେ ଭାରତବର୍ଷର ଶ୍ରମିକଶ୍ରେଣୀ ଯେଉଁ ୪୪ଟି ଶ୍ରମ ଆଇନ ହାସଲ କରିଥିଲା ତାକୁ ବାତିଲ କରି କେନ୍ଦ୍ରର ବିଜେପି ସରକାର ମାଲିକ ସପକ୍ଷବାଦୀ ଶ୍ରମିକ ଓ କର୍ମଚାରୀ ବିରୋଧୀ ୪ଟି କଳା ଶ୍ରମ କୋଡ୍ ପ୍ରବର୍ତନ କରିବା; ଇପିଏଫ ସୁଧ ହାର ହ୍ରାସ କରିବା, ରାଷ୍ଟ୍ରାୟତ ସଂସ୍ଥାମାନଙ୍କର ଘରୋଇକରଣ, ବ୍ୟାଙ୍କ ଓ ବୀମା କ୍ଷେତ୍ରରେ ଦେଶୀ-ବିଦେଶୀ ଘରୋଇ ପୁଞ୍ଜିକୁ ପ୍ରୋତ୍ସାହନ ଏବଂ ଟ୍ରେଡ ୟୁନିୟନ ଅଧିକାରକୁ ସଂକୁଚିତ କରିବା ବିରୋଧରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ସଂଗଠନମାନେ ଆସନ୍ତା ମାର୍ଚ୍ଚ ୨୮ ଓ ୨୯ରେ ଦେଶବ୍ୟାପୀ ସାଧାରଣ ଧର୍ମଘଟର ଯେଉଁ ଡାକରା ଦେଇଛନ୍ତି, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତାକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିଛି ।
ସିପିଆଇର ରାଜ୍ୟ ସମ୍ପାଦକ ଆଶିଷ କାନୁନ୍ଗୋ ଏକ ପ୍ରେସ୍ ବିବୃତିରେ କହିଛନ୍ତି– ସେମାନଙ୍କର ଦାବି କେବଳ ଶ୍ରମିକ ଓ କର୍ମଚାରୀମାନଙ୍କର ନୁହେଁ, ସମସ୍ତ ଖଟିଖିଆ ଓ ମଧ୍ୟବିତ ଜନସାଧାରଣଙ୍କର ଦାବି ଏବଂ ଏହା ଦେଶର ସ୍ୱାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ । ଏଣୁ ୨୮ ଓ ୨୯ ଦୁଇଦିନ ସିପିଆଇର ସମସ୍ତ ଜିଲ୍ଲା, ଅଞ୍ଚଳ ଓ ଶାଖା କମିଟିମାନଙ୍କ ସହ ସମସ୍ତ ସଭ୍ୟ ଓ ସମର୍ଥକ ଏଥିରେ ସାମିଲ ହେବେ । ରାଜ୍ୟବାସୀ ଏହି ଧର୍ମଘଟକୁ ସଫଳ କରାଇବା ପାଇଁ ଶ୍ରୀ କାନୁନ୍ଗୋ ନିବେଦନ କରିଛନ୍ତି ।