ମାଲକାନଗିରି, ମାଲକାନଗିରି ପୌର ପରିଷଦ ଏବଂ ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ଆଜି ସୁରୁଖୁରୁରେ ଚାଲିଛି ଭୋଟ ଗ୍ରହଣ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହେବା ସହ ଭୋଟରମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
ମାଲକାନଗିରି ପୌର ପରିଷଦରେ ୧୯ ଟି ୱାର୍ଡ ରହିଥିବା ବେଳେ ୨୫ ହଜାର ୫୩୯ ଜଣ ଭୋଟର ରହିଛନ୍ତି । ଭୋଟ ଦାନ ପାଇଁ ୨୯ ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୩ ଟି ପିଙ୍କ ବୁଥ ଏବଂ ୫ ଟି ମଡେଲ ବୁଥ କରାଯାଇଛି । ଦିନ ୧ ୨ ଟା ସୁଦ୍ଧା ମାଲକାନଗିରିରେ ୭୩୧୭ ଜଣ ମତଦାନ କରିଛନ୍ତି। ମତଦାନ ହାର ୨୮.୬୫ ପ୍ରତିଶତ ରହିଛି। ସୁରକ୍ଷା ଦୃଷ୍ଟିକୋଣରୁ ସବୁ ବୁଥରେ ପୋଲିସକୁ ନିୟୋଜିତ କରାଯାଇଛି । ସେହିପରି ବାଲିମେଳା ବିଜ୍ଞାପିତ ଅଞ୍ଚଳରେ ୧୨ ଟି ବୁଥ ରହିଥିବା ବେଳେ 8,497 ଜଣ ଭୋଟର ରହିଛନ୍ତି । ୧୨ ଟି ବୁଥ ମଧ୍ୟରୁ ଗୋଟିଏ ପିଙ୍କ ଏବଂ ଗୋଟିଏ ମଡେଲ ବୁଥର ବ୍ୟବସ୍ଥା କରାଯାଇଛି । ଏଠାରେ ଦିନ ୧୨ ଟା ସୁଦ୍ଧା 2794 ଜଣ ଭୋଟ ଦେଇଛନ୍ତି। ମତଦାନ ହାର ୩୨.୮୮ ପ୍ରତିଶତ ରହିଛି। ମାଲକାନଗିରିରେ ପ୍ରବଳ ଖରା ହେଉଥିବାରୁ ପ୍ରଶାସନ ପକ୍ଷରୁ ବହୁ ସ୍ଥାନରେ ଟେଣ୍ଟ ର ବ୍ୟବସ୍ଥା କରାଯାଇଛି । ଫଳରେ ଭୋଟର ମାନେ ଛାଇରେ ଅପେକ୍ଷା କରି ଭୋଟ ଦେଇପାରିବେ । ସେପଟେ ବହୁ ବୁଥ୍ ଗୁଡିକରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି । ଏଥିସହ ଭିନ୍ନକ୍ଷମ ଓ ବୃଦ୍ଧ ଭୋଟରଙ୍କ ପାଇଁ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଛି।