-
ତଦନ୍ତ ପାଇଁ ୨ ଟିମ୍ ଗଠନ
-
ଶର୍ମିଷ୍ଠାଙ୍କ କାର୍ ଜବତ
ଭୁବନେଶ୍ୱର, ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ କ୍ରାଇମବ୍ରାଂଚ ତଦନ୍ତ କରିବ । ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଂଚ ତଦନ୍ତ ଭାର ଗ୍ରହଣ କରିଛି । କ୍ରାଇମ୍ ବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ହତ୍ୟା ମାମଲାର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଛି । କ୍ରାଇମବ୍ରାଂଚ ଡିଏସପି କଳ୍ପନା ସାହୁ ଟିମ୍ ର ନେତୃତ୍ୱ ନେବେ । ଟିମ୍ ରେ ମୋଟ୍ ୯ ଜଣ ସଦସ୍ୟ ରହିବେ । ୱେବ୍ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଗୋଟିଏ ଟିମ୍ ନିୟୋଜିତ ହେବ । ଶର୍ମିଷ୍ଠା ରାଜ୍ୟ ବାହାରେ ଥିବାରୁ ଏକ ଟିମ୍ ବାହାରକୁ ଯିବ । ବର୍ତମାନ ତଦନ୍ତ ଜାରି ରହିଥିବାରୁ ସବୁ ତଥ୍ୟ ଦିଆଯାଇ ପାରିବ ନାହିଁ । ତେଣୁ ତଦନ୍ତ ପରେ ଗଣମାଧ୍ୟମକୁ ଅଧିକ ତଥ୍ୟ ଦିଆଯିବ ।
ବୁଧବାର ଦିନ କ୍ରାଇମବ୍ରାଂଚ ତଦନ୍ତ କରିବା ନେଇ ପୋଲିସ ଡିଜି ସୁନୀଲ ବଂଶଲ ନିର୍ଦ୍ଦେଶ ଦେଇଛନ୍ତି । ଶର୍ମିଷ୍ଠାଙ୍କୁ ଧରିବା ସହ ତଦନ୍ତକୁ ଅଗ୍ରଗତି କରାଇବାକୁ କ୍ରାଇମବ୍ରାଂଚ ପୋଲିସକୁ ସହଯୋଗ କରିବ । ଚାନ୍ଦବାଲି ଥାନାରେ ମାନସଙ୍କ ନିଖୋଜ ନେଇ ୨୦୨୨, ଫେବ୍ରୁଆରୀ ୧୪ରେ ପରିବାର ତରଫରୁ ଏତଲା ଦିଆଯିବାପରେ ପୋଲିସ ଆଇପିସିର ଦଫା ୩୬୩ ଓ ୩୪ରେ ମାମଲା ରୁଜୁ କରିଥିଲା ।
ଅପରପକ୍ଷରେ ଶର୍ମିଷ୍ଠା ରାଉତଙ୍କ କାର ଠାବ ହୋଇଛି । ଭୁବନେଶ୍ୱରରଏୟାରଫିଲଡ ଥାନା ଅଧୀନ ସ୍କାଏ ଟାୱାର ଆପାର୍ଟମେଂଟର ପାର୍କିଙ୍ଗରୁ ଏହି କାରକୁ ଜବତ କରାଯାଇଛି । ଏହି କାର ମାଧ୍ୟମରେ ଚାନ୍ଦବାଲିରୁ ମାନସଙ୍କୁ ଅପହରଣ କରାଯାଇଥିବାର ସନ୍ଦେହ କରାଯାଉଛି । ସୂଚନା ଥାଉ କି ଗତ ଫେବ୍ରୁଆରି ୭ ତାରିଖରେ ମାନସଙ୍କୁ ଏକ ଧଳା କାରରେ ଅପହରଣ କରାଯାଇଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ ବୟାନ ଦେଇଥିଲେ । ମାନସ ଫେବ୍ରୁଆରି ୬ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାସପୁରକୁ ଏକ ବାହାଘର ସୁଟିଂ କରିବାକୁ ଯାଇଥିଲେ । ମାନସଙ୍କୁ ଅପହରଣ ପାଇଁ ଏହି କାର୍ ର ବ୍ୟବହାର ହୋଇଥିବା ସନ୍ଦେହ କରାଯାଉଛି ।