ଭୁବନେଶ୍ୱର , କୋଲକାତା ସ୍ଥିତ ଦକ୍ଷିଣ ପୂର୍ବ ସର୍କଲ ରେଳ ସୁରକ୍ଷା ଆୟୁକ୍ତ (ସିଆରଏସ) ଆଜି ଖୋର୍ଦ୍ଧା ରୋଡ-ବାଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ମହୀପୁର ଠାରୁ ନୂଆଗାଁ ପର୍ଯ୍ୟନ୍ତ ୧୩.୨୫୦ କିଲୋମିଟର ଦୈର୍ଘ୍ୟ ରେଳ ଲାଇନର ସୁରକ୍ଷା କାର୍ଯ୍ୟ ଯାଂଚ କରିବେ । ସେହିଭଳି ୨୪ ମାର୍ଚ୍ଚ ରେ ରେଳ ସୁରକ୍ଷା ଆୟୁକ୍ତଙ୍କ ଦ୍ୱାରା ଖୋର୍ଦ୍ଧା ରୋଡ଼ ଠାରେ ବାଇପାସ୍ ଲାଇନର ସୁରକ୍ଷା କାର୍ଯ୍ୟ ମଧ୍ୟ ଯାଂଚ କରାଯିବ । ନୂତନ ରେଳ ଲାଇନରେ ଥିବା ସମସ୍ତ ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବେ ଯାଂଚ କରାଯିବାପରେ ଏହି ଲାଇନରେ ଟ୍ରେନ ଚଳାଚଳକୁ ଅନୁମତି ପ୍ରଦାନ କରାଯିବ ।
ଏହାକୁ ଦୃଷ୍ଟିରେ ରଖି ଏହି ରେଳ ମାର୍ଗରେ ବିଭିନ୍ନ ଯନ୍ତ୍ରପାତି ଏବଂ ଯାଂଚ ଟ୍ରେନ୍ ଚଳାଚଳ ପାଇଁ ଆଜି (ବୁଧବାର) ଦିନ ୧୮୪୨୪ ନୟାଗଡ଼ ଟାଉନ୍-ଭୁବନେଶ୍ୱର ଏକ୍ସପ୍ରେସକୁ ବାତିଲ କରିବାକୁ ନିଷ୍ପତି ନିଆଯାଇଛି ।
ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼ – ବଲାଙ୍ଗୀର ରେଳପ୍ରକଳ୍ପର ମହୀପୁର-ନୂଆଗାଁ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ଏବଂ କାର୍ଯ୍ୟକ୍ଷମ ପାଇଁ ରେଳ ସୁରକ୍ଷା ଆୟୁକ୍ତଙ୍କ ଅନୁମୋଦନକୁ ଅପେକ୍ଷା କରିଛି । ଏହା ସହିତ ଟ୍ରେନ ଯାତାୟାତ ସୁବିଧା ପାଇଁ ଖୋର୍ଦ୍ଧା ରୋଡ଼ ଠାରେ ବାଇପାସ୍ ଲାଇନର ମଧ୍ୟ କାର୍ଯ୍ୟ ଶେଷ ହୋଇଛି ।