ଭୁବନେଶ୍ୱର,ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏବଂ ଫାଇଭ ଟି ସଚିବ ଭିକେ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଯାଇ ସେଠାରେ ସମଲେଶ୍ବରୀ ମନ୍ଦିର ବିକାଶ କାମର ସମୀକ୍ଷା କରିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ସେମାନେ ସମ୍ବଲପୁର ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ସମଲେଶ୍ବରୀ ମନ୍ଦିର ଯାଇଥିଲେ । ସମଲେଶ୍ବରୀର ମନ୍ଦିର ବୁଲି ଦେଖିବା ସହ ବିକାଶମୂଳକ କାର୍ଯ୍ୟକ୍ରମ କେତେ ବାଟ ଆଗେଇଛି, ଏହାର ସମୀକ୍ଷା କରିଛନ୍ତି । ତାଙ୍କ ସହିତ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ଭିଭି ଯାଦବ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଅଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ୫-ଟି ଅଧୀନରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ସମ୍ବଲପୁରର ମା’ ସମଲେଇଙ୍କ ମନ୍ଦିର ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯାଉଛି । ଯୋଜନାରେ ମା’ଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ ।