-
୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ
-
ଶାନ୍ତି ଶୃଙ୍ଖଳାର ସହ ମତଦାନ କରାଇବାକୁ ମୁତୟନ ହେବେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ
ଭୁବନେଶ୍ୱର , ପୌର ନିର୍ବାଚନ ପାଇଁ ୨୪ ତାରିଖ ଦିନ ସକାଳ ୮ଟାରୁ ସଂଧ୍ୟା ୫ ଟା ଯାଏ ହେବ ଭୋଟ ଗ୍ରହଣ କରାଯିବ । ମ୍ୟୁନିସିପାଲଟି ଓ ଏନଏସିର ୧୬୭୨ ୱାର୍ଡ ଓ ୩ଟି କର୍ପୋରେସନର ୧୬୫ ୱାର୍ଡରେ ନିର୍ବାଚନ ହେବ । ମ୍ୟୁନିସିପାଲଟି ଓ ଏନଏସିର ୨,୯୮୯ ବୁଥ୍ ଓ ୩ଟି କର୍ପୋରେସନର ୧୩୮୪ ବୁଥ୍ରେ ୪୦ ଲକ୍ଷ ୫୫ ହଜାର ମତଦାତା ସେମାନଙ୍କର ମତାଧିକାର ପ୍ରୟୋଗ କରିବେ । ଏହାକୁ ନେଇ ସମସ୍ତ ପ୍ରକାର ଆବଶ୍ୟକୀୟ ପ୍ରସ୍ତୁତି କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ୨୨ ତାରିଖ ଅପରାହ୍ନ ୫ଟା ସୁଦ୍ଧା ପ୍ରଚାର କାର୍ଯ୍ୟ ସରିବ । ୨୩ ଅପରାହ୍ନ ସୁଦ୍ଧା ସବୁ ପୋଲିଂ ଷ୍ଟାଫ୍ ନିଜ ନିଜ ବୁଥ୍ରେ ପହଞ୍ଚିଯିବେ । ୨୪ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ ।
ସେ କହିଛନ୍ତି ଯେ ଏହି ନିର୍ବାଚନକୁ,ସୁଚାରୁ ରୂପେ କରାଇବାକୁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପ୍ରତ୍ୟେକ ପୋଲିଂ ପାର୍ଟି ରେ ଜଣେ ପ୍ରିଜାଇଡିଂ ଅଫିସର ଆଉ ୪ ଜଣ ପୋଲିଂ ଅଫିସର ରହିବେ ।
ନିର୍ବାଚନକୁ ଶାନ୍ତିପୂର୍ଣ ଓ ଅବାଧ ରୂପେ କରିବାକୁ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେଥିମଧ୍ୟରୁ ବିଏମ୍ସି ପାଇଁ ୩୦, ସିଏମ୍ସି ପାଇଁ ୨୦, ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।
ସେ କହିଛନ୍ତି ଯେ ଏହା ବ୍ୟତୀତ ୩୦୦ ମୋବାଇଲ ପାର୍ଟି ରହିବେ । ସେଥିମଧ୍ୟରୁ ୧୦୯ ମୋବାଇଲ ପାର୍ଟି ଏହି ୩ଟି କର୍ପୋରେସନ ପାଇଁ ନିୟୋଜିତ ହେବେ । ପ୍ରତି ବୁଥ୍ରେ ଜଣେ ଲେଖାଏ ହାବିଲଦାର, ନ ହେଲେ କନଷ୍ଟେବଳ ନ ହେଲେ ସଶସ୍ତ୍ର ପୁଲିସ୍ ମୁତୟନ ରହିବେ ବୋଲି ସେ ସୂଚନା ଦେଇଛନ୍ତି ।
ସେ ଆହୁରି କହିଛନ୍ତି ଯେ ବ୍ରହ୍ମପୁର କର୍ପୋରେସନର ୩ଟି ୱାର୍ଡ ସମେତ ଅନ୍ୟ ମ୍ୟୁନିସିପାଲ୍ିଟି ଓ କର୍ପୋରେସନର ୫୮ଟି ୱାର୍ଡରେ ମନୋନୟନ ଦାଖଲ କରିଥିବା ପ୍ରାର୍ଥୀ ନିର୍ଦନ୍ଦରେ ମନୋନୀତ ହୋଇଛନ୍ତି ।