କୋରାପୁଟ, ରାଜ୍ୟ ପୋଲିସ ଡିଜି ସୁନିଲ ବଂଶଲ ଆଜି କୋରାପୁଟ ଗସ୍ତ କରିଛନ୍ତି । ହେଲିକେପ୍ଟର ଯୋଗେ ଆସି ସେ ପ୍ରଥମେ କୋରାପୁଟ ବିଏସଏଫ ସେକ୍ଟର ପଡିଆରେ ଅବତରଣ କରିଥିଲେ । ପରେ ସେଠାରୁ ଯାଇ ଓଏସଏପି ତୃତୀୟ ବାଟାଲିୟନ ପରିଦର୍ଶନ କରିଥିଲେ । ଏହାପରେ ଏସଓଜି ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଦକ୍ଷିଣ-ପଶ୍ଚିମାଚଂଳ ଡିଆଇଜିଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ଯୋଗଦେଇଛନ୍ତି । ବିଶେଷ କରି ପୌର ନିର୍ବାଚନର ସୁପରିଚାଳନା ଓ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସେ ସମୀକ୍ଷା କରିଛନ୍ତି । ପରେ ପୋଲିସ ଡ଼ିଜି ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପୋଲିସ ଡ଼ିଜିଙ୍କ ସହିତ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ, ବିଏସଏଫ ଆଇଜି ଓ ପୋଲିସର ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଏନେଇ ସୂଚନା ଦେଇ ପୋଲିସ ଡିଜି ସୁନିଲ ବଂଶଲ କହିଛନ୍ତି ଯେ, କୋରାପୁଟ ଓ ଏହାର ପଡ଼ୋଶୀ ଜିଲ୍ଲା ମାନଙ୍କରେ ନକ୍ସଲ ସମସ୍ୟା ରହିଛି । ଏହାକୁ ଆମେ କିଭଳି ଭାବେ ନିୟନ୍ତ୍ରଣ କରିବୁ ଏବଂ ମାଓ ଗତିବିଧିକୁ ରୋକିବୁ ସେନେଇ ବୈଠକରେ ଆଲୋଚନା ହୋଇଥିଲା । ଏଥି ସହିତ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ପୌର ନିର୍ବାଚନରେ କିଭଳି ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରାଯିବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା । ଏପରିକି ଏଥିପାଇଁ ପୋଲିସ ପକ୍ଷରୁ କ’ଣ ବ୍ୟବସ୍ଥା କରାଯାଇଛି ସେ ନେଇ ସମୀକ୍ଷା କରାଯାଇଥିଲା ।