
-
ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୬ ଗିରଫ
ପୁରୀ, ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ଗୁମର ଖୋଲିଛି । ତାଙ୍କୁ ସୁପାରି ନେଇ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ଗୁନ ସିଂହାରୀ ହତ୍ୟା ମାମଲାର ପ୍ରତିଶୋଧ ନେଇଛନ୍ତି ଗୁନଙ୍କ ଭାଇ ଓ ପୁତୁରା । ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି । ଆଜି ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀ କାଳିଆ ସିଂହାରୀ ଓ ଦୋଳଗୋବିନ୍ଦ ସିଂହାରୀ । ଏଥି ସହିତ ସହଯୋଗୀ ମୁନା ପାତ୍ର, ବାବା ମହାପାତ୍ର, କାଳୁ ପାଣିଗ୍ରାହୀ, ସନ୍ଦିପ ଜେନା ଗିରଫ ହୋଇଛନ୍ତି । ମୁଖ୍ୟ ୨ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଜଣ ସହଯାଗୀଙ୍କୁ ଗିରଫ କରାଯାଇଛି । ମାମଲାରେ ଜଡ଼ିତ ୯ ଜଣଙ୍କ ମଧ୍ୟରୁ ଅଦ୍ୟାବଧି ୬ ଜଣ ଗିରଫ ହୋଇଥିବା ବେଳେ ଅନ୍ୟ ୩ ଜଣ ଫେରାର୍ ଅଛନ୍ତି ।
ପୋଲିସର ସୂଚନା ଅନୁଯାୟୀ, କୃଷ୍ଣଙ୍କୁ ହତ୍ୟା କରିବା ପାଇଁ ୩୦ ଲକ୍ଷ ଟଙ୍କା ଡ଼ିଲ୍ ହୋଇଥିଲା । ଏପରିକି ଆଗରୁ ଆଉଥରେ ପ୍ଲାନ କରି ଫେଲ୍ ମାରିଥିଲେ ଅଭିଯୁକ୍ତ । ଗୋଟିଏ ଲଜ୍ ରେ ଏମାନେ ପ୍ରିପ୍ଲାନ କରିଥିଲେ । ବାରବାଟି ଯାଗା ଭିତରକୁ କୁନମୁନି ଓ ଟୁଟୁ ଯାଇଥିଲେ । ହରି ପଣ୍ଡା ଓ ବାବା ମହାପାତ୍ର ଯାଗାର ଗେଟ ନିକଟରେ ଗାଡ଼ିଧରି ଅପେକ୍ଷା କରିଥିଲେ । କୃଷ୍ଣଙ୍କୁ ଟୁଟୁ ଫାଇରିଂ କରିବା ପରେ ସେମାନଙ୍କୁ ହରି ଓ ବାବା ନେଇ ସେଠାରୁ ଫେରାର୍ ହୋଇଯାଇଥିଲେ । ମାମଲାରେ ଜଡ଼ିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଏବେ ବି ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି । ଆଉ ଯାହାର ନାମ ଆସି ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସପି କହିଛନ୍ତି । ବଳିଆପଣ୍ଡା ଥାନା ଅଂଚଳରେ ଥିବା ବାଇପାସ୍ ରାସ୍ତା କଡ଼ରେ ଥିବା ଜଙ୍ଗଲରେ ଲୁଚି ରହିଥିବା ବାବା ମହାପାତ୍ରକୁ ପୋଲିସ କୌଶଳକ୍ରମେ ଧରିବା ପରେ ସମସ୍ତ ଯୋଜନା ପୋଲିସ ଜାଣିପାରିଥିଲା ।