
-
ମୋଟ୍ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି
ଭଦ୍ରକ, ନୟାଗଡ଼ ଅଂଚଳର କ୍ୟାମେରାମ୍ୟାନ ମାନସ ସ୍ଵାଇଁଙ୍କୁ ଅପହରଣ ଓ ହତ୍ୟା ମାମଲାରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଅବସରପ୍ରାପ୍ତ ଓଆଇଏସ ନିରଞ୍ଜନ ସେଠୀ ଏବଂ ରାଜ୍ କମ୍ୟୁନିକେସନର ମାଲିକ ରାଜ୍ ଓରଫ ରଞ୍ଜନ ନାୟକ । ମାମଲାରେ ଦୁହିଁଙ୍କ ସମ୍ପୃକ୍ତି ଥିବା ନେଇ ତଦନ୍ତରୁ ଜାଣିବା ପରେ ପୋଲିସ ଉଭୟଙ୍କୁ ଗିରଫ କରିଛି । ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି ଚାନ୍ଦବାଲି ପୋଲିସ ।
ପୋଲିସର ସୂଚନା ଅନୁଯାୟୀ, ମାନସକୁ ଏଠାରୁ ଭୁବନେଶ୍ୱର ନେବାର ଷଡ଼ଯନ୍ତ୍ର ରଚିବା, ତାଙ୍କୁ ନିର୍ଯାତନା ଦେବା ଓ ମାଡ ମାରିବାରେ ନିରଞ୍ଜନ ଓ ରଞ୍ଜନଙ୍କ ଭୂମିକା ରହିଥିଲା । ଏକ ମୋମୋରି ଚିପ୍ କୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଜାଣିବାକୁ ପାଇଛି । ତେବେ ବର୍ତମାନ ସୁଦ୍ଧା ଏହି ଚିପ୍ ପୋଲିସର ହସ୍ତଗତ ହୋଇପାରିନାହିଁ । ପୋଲିସ ପକ୍ଷରୁ ଏନେଇ ଅନୁସନ୍ଧାନ ଜାରୀ ରହିଛି । ତେବେ ଏହି କ୍ଲିପ୍ ରେ କ’ଣ ଏଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଥିଲା ଯେଉଁଥିପାଇଁ ମାନସଙ୍କୁ ହତ୍ୟା କରାଗଲା ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପକ୍ଷରେ ଏନେଇ ଅଧିକ ତଦନ୍ତ ଜାରୀ ରହିଥିବା ପୋଲିସ କହିଛି । ପୋଲିସର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରଖିଛନ୍ତି । ମାମଲାରେ ଜଡ଼ିତ ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଘଟଣାରେ ପୂର୍ବରୁ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଏବେ ଆଉ ଦୁଇ ଜଣଙ୍କୁ ଗିରଫ ପରେ ମାମଲାରେ ମୋଟ୍ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅପରପକ୍ଷରେ ମାମଲାର ମୁଖ୍ୟ କୁହାଯାଉଥିବା ଶର୍ମିଷ୍ଠା ରାଉତ ଘଟଣା ପର ଠାରୁ ଫେରାର୍ ରହିଛନ୍ତି ।