-
ପୂର୍ବତନ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ଗିରଫ
-
ଗିରଫଙ୍କ ମଧ୍ୟରେ ରାଜ୍ କମ୍ୟୁନିକେସନର ମାଲିକ , ଗିରଫ ସଂଖ୍ୟା ୫ କୁ ବୃଦ୍ଧି
-
ମୁଖ୍ୟ ଅଭିଯୁକ୍ତ ୱେବ୍ ଚ୍ୟାନେଲ ମାଲିକାଣୀଙ୍କୁ ଖୋଜା ଚାଲିଛି
-
ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଭଦ୍ରକ ଏଏସପି
ଭୁବନେଶ୍ୱର, ବହୁଚର୍ଚ୍ଚିତ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୋଲିସ୍ ଆଉ ୨ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଭିତରେ ଅବସରପ୍ରାପ୍ତ ଓଆଇଏସ୍ ଅଧିକାରୀ ତଥା ପୂର୍ବତନ ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ରହିଛନ୍ତି । ଏହାଛଡ଼ା ରାଜ୍ କମ୍ୟୁନିକେସନର ମାଲିକ ରଞ୍ଜନ ନାୟକଙ୍କୁ ବି ଗିରଫ କରିଛି ଚାନ୍ଦବାଲି ପୋଲିସ । ଅନ୍ୟପକ୍ଷରେ ମୁଖ୍ୟ ଅଭିଯୁକ୍ତ ତଥା ୱେବ୍ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତ ଓ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ଖୋଜା ଚାଲିଛି ।
ଭଦ୍ରକ ଜିଲ୍ଲାର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା ସୋମବାର ଅପରାହ୍ନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲାରେ ପୂର୍ବରୁ ତିନିଜଣଙ୍କୁ ଗିରଫ କରାଯାଇଥିଲା ।ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ବୋଲେରୋ ଡ୍ରାଇଭର୍ ଭାଗ୍ୟଧର ନାୟକ, ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକ । ଆଜି ପୁଣି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରାଯାଇଛି । ଉଭୟ ନିରଞ୍ଜନ ଓ ରଞ୍ଜନ ମାନସ ସ୍ୱାଇଁଙ୍କୁ ମାଡ଼ ମାରିବା ଓ ନିର୍ଯାତନା ଦେବା ଘଟଣା ସହ ଜଡ଼ିତ ଥିଲେ । ଏହାଛଡ଼ା ଉଭୟେ ହତ୍ୟା ଯୋଜନା କରିବାରେ ସାମିଲ ଥିଲେ । ଏନେଇ ଅଧିକ ତଦନ୍ତ ଚାଲିଛି । ଗୋଟିଏ ଚିପକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି ।
ଆଗରୁ ତଦନ୍ତ କରୁଥିବା ପୋଲିସ ଟିମକୁ ମୃତ ମାନସ ସ୍ୱାଇଁଙ୍କ ମୋବାଇଲ ଫୋନ ମିଳିଛି । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଠାରୁ ମାନସଙ୍କ ମୋବାଇଲ ମିଳିଥିବା ନେଇ ପୋଲିସ ସୂଚନା ଦେଇଥିଲା । ସେପଟେ ସାଇଂଟିଫିକ ଟିମ ସହ ପୋଲିସ ତଦନ୍ତ ଜାରି ରଖିଛି ।
ଉଲ୍ଲେଖ୍ୟଯୋଗ୍ୟ ଫେବ୍ରୁଆରୀ ୬ ତାରିଖରେ ମାନସ ବାହାଘର ଭିଡିଓ ଶୁଟିଂ କରିବାକୁ ଯାଇଥିଲେ । ତା’ପର ଦିନ ଅର୍ଥାତ ୭ ତାରିଖ ସକାଳେ ଭୁବନେଶ୍ୱର ଫେରୁଥିବା ବେଳେ ଶର୍ମିଷ୍ଠା ଓ ତାଙ୍କ ସହଯୋଗୀମାନେ ମାଡ଼ ମାରି ମାନସଙ୍କୁ ଅପହରଣ କରିନେଇଥିଲେ । ତାଙ୍କୁ ଭୁବନେଶ୍ୱର ଦୟାଲ୍ ଆଶ୍ରମ ଆଣି ପ୍ରବଳ ମାଡ଼ ମାରିଥିଲେ । ମାଡ଼ ମାରୁ ମାରୁ ସେଠାରେ ମାନସଙ୍କ ମୃତ୍ୟୁ ଘଟିଥିଲା । ତା’ପରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ ।