-
ଅଭିଯୁକ୍ତଙ୍କ ଗିରଫ ଦାବିରେ ଜାତୀୟ ରାଜପଥ ଅବରୋଧ
ଜୟପୁର, କୋରାପୁଟ ଜିଲ୍ଲା ଜୟପୁରରେ ପୌର ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଛି ରାଜନୈତିକ ହିଂସା । ଜୟପୁର ଗୋପବନ୍ଧୁ ନଗରରେ ରହୁଥିବା କାର୍ତିକ ନାଗ ନାମକ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ମାଡ ମରାଯାଇଥିବା ଅଭିଯୋଗ ହୋଇଛି । କାର୍ତିକଙ୍କୁ ପ୍ରଥମେ ଦୁର୍ବୃତ ମାନେ ଅପହରଣ କରି ନେଇଥିଲେ । ପରେ ସେମାନେ ତାଙ୍କୁ ନିସ୍ତୁକ ମାଡ କରି କୁମୁଲିପୁଟ ଠାରେ ମୁର୍ମୁଷୂ ଅବସ୍ଥାରେ ଛାଡ଼ିଦେଇ ଚାଲି ଯାଇଥିଲେ । ସେଠାରୁ କାର୍ତିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କୋରାପୁଟ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ତାଙ୍କ ଭଉଣୀ ୩ ଜଣଙ୍କ ନାମରେ ଜୟପୁର ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ତେବେ ଅଦ୍ୟାବଧି ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ । ଅନ୍ୟପକ୍ଷରେ ଘଟଣାର ଦୃଢ଼ ପ୍ରତିବାଦ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଏହି ପରିପ୍ରେକ୍ଷୀରେ ଶତାଧିକ କଂଗ୍ରେସ କର୍ମୀ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ୱରେ ଟାଉନ ଥାନା ଘେରାଉ କରିବା ସହ ଜାତୀୟ ରାଜପଥ ନଂ ୨୬କୁ ଅବରୋଧ କରିଥିଲେ । ରାସ୍ତା ରୋକ ଯୋଗୁଁ ଦୀର୍ଘ ସମୟ ଧରି ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ପରେ ଏସପିଙ୍କ ପ୍ରତିଶୃତି ପରେ ରାସ୍ତା ଅବରୋଧ ହଟିଛି ।