ମାଲକାନଗିରି, ମାଲକାନଗିରି ପୌର ନିର୍ବାଚନ ପାଇଁ ପାଣିପାଗ ଉଷ୍ମ ହେବାରେ ଲାଗିଥିବା ବେଳେ ବର୍ତ୍ତମାନ ପୌର ନିର୍ବାଚନରେ ପୌରାଧ୍ୟକ୍ଷ ପଦବୀ ନିମନ୍ତେ ମୋଟ ୮ ଜଣ ପ୍ରାର୍ଥୀ ନିଜ ନିଜ ପ୍ରଚାରରେ ଲାଗି ପଡିଛନ୍ତି । ଚଳିତ ଥର ମାଲକାନଗିରି ପୌର ପରିଷଦ ଅଧ୍ୟକ୍ଷ ପଦବୀ ଆସନଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ମୋଟ ୮ ଜଣ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆସନ୍ତା ୨୪ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ୨୬ ତାରିଖ ଭୋଟ ଗଣତି ନେଇ ତାରିଖ ଘୋଷଣା କରାଯାଇଛି । ତେବେ ଏଥର ତିନି ପ୍ରମୁଖ ଦଳର ଜଣେ ଜଣେ ନାମିଦାମୀ ନେତା ନିର୍ବାଚନ ମଇଦାନରେ ଛିଡା ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ କଡା ଟକ୍କର ହେବ ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିପରି ସ୍ବାଧୀନ ପ୍ରାର୍ଥୀ ଭାବରେ ମଧ୍ୟ କିଛି ସମାଜସେବୀ ନିଜକୁ ଏହି ପଦବୀ ପାଇଁ ଦାବିଦାର ଘୋଷିତ କରିବା ସହ ନାମାଙ୍କନ ଦାଖଲ କରିଥିବା ବେଳେ ଲୋକେ ଯାହାକୁ ଉତ୍ତମ ଭାବିବେ ତାକୁ ହିଁ ଭୋଟ ଦେବେ ବୋଲି ରାଜନୈତିକ ସମୀକ୍ଷକ ମାନେ ପ୍ରକାଶ କରିଛନ୍ତି । ତେବେ ଚଳିତ ନିର୍ବାଚନକୁ ନେଇ ବିଜେଡି ମାଲକାନଗିରି ପୌର ପରିଷଦରେ ସମସ୍ତ ୱାର୍ଡରେ କାଉନସିଲର ପ୍ରାର୍ଥୀ ଦେଇଥିବା ବେଳେ ବିଜେପି କିନ୍ତୁ ୧୯ ୱାର୍ଡ ମଧ୍ୟରୁ ଦୁଇଟି ୱାର୍ଡରେ ପ୍ରାର୍ଥୀ ଦେଇପାରି ନାହିଁ ସେହିପରି କଂଗ୍ରେସ ମଧ୍ୟ ଗୋଟିଏ ୱାର୍ଡରେ ପ୍ରାର୍ଥୀ ଦେଇପାରି ନାହିଁ। ତେବେ ବର୍ତ୍ତମାନ ସମସ୍ତ ୱାର୍ଡରେ କାଉନସିଲର ପ୍ରାର୍ଥୀ ସହ ପୌରାଧ୍ୟକ୍ଷ ପ୍ରାର୍ଥୀମାନଙ୍କ ପ୍ରଚାର ଜୋର ଧରିବାରେ ଲାଗିଥିବା ବେଳେ ତିନି ପ୍ରମୁଖ ଦଳର ଉତ୍ତମ ଓ ହେବିୱେଟ ଚେହେରା ଏହି ପ୍ରଚାର କାର୍ଯରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା ଆରମ୍ଭ କରିଛନ୍ତି । ତେବେ ପୌର ପରିଷଦ ଆସନ ହାତେଇବାକୁ ସମସ୍ତ ଦଳ ଏବଂ ସ୍ବାଧୀନ ପ୍ରାର୍ଥୀମାନେ ପ୍ରୟାସ ଆରମ୍ଭ କରିଛନ୍ତି। ମାଲକାନଗିରି ପୌର ନିର୍ବାଚନରେ ଅଧକ୍ଷ ପଦବୀ ପାଇଁ ସ୍ଵାଧୀନ ପ୍ରାର୍ଥୀ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ ସାଇକେଲ ଚିହ୍ନ, ବାବୁଲି ମାଢି ବାଳକବାଳିକା ଚିହ୍ନ, ମନୋଜ କୁମାର ପାଢୀ ନଗରା ଚିହ୍ନ, ମନୋଜ କୁମାର ସାହୁ ଲଣ୍ଡନ ଚିହ୍ନ, ହାତ ଚିହ୍ନରେ ଜି ଶ୍ରୀନିବାସ ରାଓ (ଚିଟି), ଶଙ୍ଖ ଚି଼ହ୍ନରେ ମନୋଜ ବାରିକ (ଭାନୁ ) ଓ ପଦ୍ମ ଫୁଲ ଚି଼ହ୍ନରେ ଶ୍ୟାମଲ ସୁନାନୀ ନିର୍ବାଚନରେ ଛିଡା ହୋଇଛନ୍ତି । ସେହିପରି ସମସ୍ତ ୧୯ଟି ୱାର୍ଡର କାଉନସିଲର ମାନଙ୍କ ନାମ ମଧ୍ୟ ପ୍ରକାଶ ପାଇଛି । ସମସ୍ତ ପ୍ରାର୍ଥୀ ଭୋଟରଙ୍କ ନିକଟରେ ପ୍ରଚାର ପାଇଁ ପହଞ୍ଚି ଥିବା ବେଳେ ବିଜୁ ଜନତା ଦଳ ଜିଲ୍ଲାରେ ଭଲ ସ୍ଥିତିରେ ଥିବା ପରିଲକ୍ଷିତ ହୋଇଛି । ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ଗୁଡିକର ସୁଫଳ ଦଳକୁ ମିଳିବ ବୋଲି ଦଳୀୟ ନେତା ଆଶାବ୍ୟକ୍ତ କରିଛନ୍ତି ।
ଅପରପକ୍ଷରେ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ନିର୍ବାଚନରେ ବାଜିମାତ କରିବେ ବୋଲି ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି । ନିର୍ବାଚନ ଯେତେ ପାଖେଉଛି ନିର୍ବାଚନ ପ୍ରଚାର ଉଷ୍ଣତା ସେତିକି ମାତ୍ରାରେ ବଢିବାରେ ଲାଗିଥିବା ବେଳେ ଭୋଟର ଏହି ନିର୍ବାଚନ ମାହୋଲର ଭରପୁର ମଜା ଉଠାଇବା ସହ ବିଭିନ୍ନ ଖଟିରେ କିଏ ବାଜିମାତ କରିବ ସେନେଇ ଜୋରସୋର ଆଲୋଚନା ହେଉଛି ।