ନୂଆଦିଲ୍ଲୀ, ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ୍’ ର ନିର୍ଦ୍ଦେଶକ ତଥା ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କୁ ‘ୱାଇ’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ସରକାରୀ ସୂତ୍ର ଅନୁଯାୟୀ, ସିଆରପିଏଫ୍ କର୍ମଚାରୀଙ୍କ ଦ୍ୱାରା ଏହି ସୁରକ୍ଷା ଯୋଗାଇ ଦିଆଯିବ । ଏହି ସୁରକ୍ଷା ସମଗ୍ର ଭାରତ ପାଇଁ ଅଟେ । ତାଙ୍କର ସମ୍ପ୍ରତି ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ’ର ପ୍ରଶଂସା କରାଯାଉଥିବାବେଳେ ସେ ମଧ୍ୟ ମୌଳିକବାଦୀଙ୍କ ଟାର୍ଗେଟରେ ଆସିଛନ୍ତି । ଆକ୍ରମଣର ସମ୍ଭାବନାକୁ ଦୃଷ୍ଟିରେ ରଖି ସରକାର ସେମାନଙ୍କୁ ଏହି ସୁରକ୍ଷା ଦେବାକୁ ନିଷ୍ପତି ନେଇଛନ୍ତି ।
“ଦି କାଶ୍ମୀର ଫାଇଲ୍ସ” ଫିଲ୍ମ ରିଲିଜ ହେବା ପରଠୁ ବିଭିନ୍ନ ଆଡ଼ୁ ବିବେକଙ୍କୁ ଧମକ ମିଳୁଥିବାରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯାଇଛି । ୱାଇ କାଟାଗୋରୀ ସୁରକ୍ଷାର ପ୍ରୋଟକଲ ଅନୁଯାୟୀ, ସମଗ୍ର ଦେଶରେ ବିବେକ ଯେଉଁଠାକୁ ବି ଯିବେ, ସେଠାରେ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ ।