ଭୁବନେଶ୍ୱର, ୧୦୯ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଶେଷରେ ଗିରଫ ହୋଇଛନ୍ତି ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ । ସୁନ୍ଦରଗଡ଼ ଜିଲ୍ଲା ତଲସରା ଥାନା ଲୁଲୁଡ଼ିହାରୁ ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ । ପୂର୍ବତନ ଆଇଏଏସ୍ ଅଧିକାରୀ ସ୍ୱର୍ଗତ ଲିଭନସ କିଣ୍ଡୋଙ୍କ ପୁଅ ହେଉଛନ୍ତି ଦୀପକ କିଣ୍ଡୋ ।
ସୂଚନା ଅନୁଯାୟୀ ଦୀପକ କିଣ୍ଡୋ ଦୀର୍ଘ ଦିନ ଧରି ଫେରାର ଥିଲେ । ତାଙ୍କ ନାଁରେ ଲୁକ ଆଉଟ ସର୍କୁଲାର୍ ଜାରି କରାଯାଇଥିଲା । ପୂର୍ବରୁ କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଦୀପକଙ୍କ ପତ୍ନୀ ଅମୃତା କୁମାରୀଙ୍କୁ ଗିରଫ କରିଥିଲା । ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଂଚଳରେ ଥିବା ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ଲିଖିତ ଆଧାରରେ ଉପରୋକ୍ତ ମାମଲା ଉକ୍ତ ମାମଲା ପଞ୍ଜିକୃତ ହୋଇଛି । ଜାଲି କାଗଜପତ୍ର ଦେଇ ଉକ୍ତ କଂପାନିଠାରୁ ୫ କୋଟି ଟଙ୍କା ଋଣ ନେବା ପରେ ସେହି ଟଙ୍କା ଫେରାଉ ନଥିଲେ ଦୀପକ ବୋଲି ଅନ୍ନପୂର୍ଣ୍ଣା ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଅଭିଯୋଗ ହୋଇଥିଲା ।୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ସମାନ ଢଙ୍ଗରେ ସିଡବି ଓ ଡିସିବି ଭଳି ବ୍ୟାଙ୍କରୁ ୧୦୯ କୋଟିରୁ ଅଧିକ ଟଙ୍କା ନେଇ ଦୀପକ ଆଉ ଫେରାଇ ନେଇ ନଥିଲେ ।