ମାଲକାନଗିରି,ଓଡ଼ିଶାର ବହୁ ଗ୍ରାମକୁ ନିଜ କବ୍ଜାକୁ ନେବାକୁ ଉଦ୍ୟମ କରୁଥିବା ବେଳେ ଆନ୍ଧ୍ର ସରକାର ନିଜ ଅଞ୍ଚଳର ବିକାଶ କରିବା ନେଇ ପଛଘୁଞ୍ଚା ଦେଉଥିବା ଜଣାପଡିଛି । ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳର ଚିତ୍ର ବଦଳିଛି । ଆନ୍ଧ୍ରର ଦୋମୁହାଁ ନୀତି ପଦାରେ ପଡିଛି । ଆନ୍ଧ୍ର – ଓଡ଼ିଶା ସୀମାନ୍ତରେ ଥିବା କିଛି ପଞ୍ଚାୟତର ଗାଡିବନ୍ଧ , ଦନ୍ତୁରାଇ, ବଦରା, କାଦୁଲିପାଡୁ , ସାଲାପଲ୍ଲୀ ଭଳି ଗାଁ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକର ଧୂଳିପୁଟ ପଞ୍ଚାୟତ ସୀମାକୁ ଲାଗି ରହିଛି । ନିର୍ବାଚନ ପୂର୍ବରୁ ସେହି ଅଞ୍ଚଳରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଲୋକଙ୍କୁ ଭତ୍ତା ବଣ୍ଟନ କରାଯାଉଥିଲା। ହେଲେ, ନିର୍ବାଚନ ପରେ ଆଉ କୌଣସି ଅଧିକାରୀଙ୍କ ଦେଖା ମିଳୁନୀ । ସୀମାନ୍ତ ଧୂଳିପୁଟ ପଞ୍ଚାୟତର ବିକାଶ ଦେଖିବା ପରେ ସେମାନଙ୍କୁ ମଧ୍ୟ ଅନୁରୂପ ମୌଳିକ ସୁବିଧା ଯୋଗାଇଦେବାକୁ ମାଲକାନଗିରି ଜିଲ୍ଳାପାଳଙ୍କ ନିକଟରେ ଗୁହାରି କରିଛନ୍ତି ସୀମାନ୍ତ ଆନ୍ଧ୍ରବାସୀ। ପାନୀୟ ଜଳ, ବିଦ୍ୟୁତ୍, ଶିକ୍ଷା, ସ୍ବାସ୍ଥ୍ୟସେବା ଆଦି ସେମାନଙ୍କ ପାଇଁ ସାତସପନ ହୋଇଛି । ଚିତ୍ରକୋଣ୍ଡା ବ୍ଲକ ପକ୍ଷରୁ ସେହି ଅଞ୍ଚଳବାସୀଙ୍କ ଦୁର୍ଦଶା ଦେଖ୍ ବିଜୁଳି ସଂଯୋଗ କରାଯାଇଛି। କୋଟିଆ ଭଳି ମାଲକାନଗିରି ଜିଲାରେ ମଧ୍ୟ ଜୁମାଡଙ୍ଗ, ପାପୁଲୁର, କୁର୍ମାନୁର ଭଳି ବହୁ ସୀମାନ୍ତବର୍ତ୍ତୀ ଗାଁ ଉପରେ ଆନ୍ଧ୍ର ଆଖି ପକାଉଛି । ସୀମାନ୍ତ ଗ୍ରାମଗୁଡିକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ କରୁଛି । ସୀମନ୍ତବର୍ତି ଆନ୍ଧ୍ର ପ୍ରଦେଶର ଲୋକ ଓଡ଼ିଶା ମୁହାଁ ହେଉଛନ୍ତି । ସମ୍ପୂର୍ଣ୍ଣ ସୁବିଧା ସୁଯୋଗ ଦେଲେ ସେମାନେ ଓଡ଼ିଶାରେ ମିଶିବେ ବୋଲି କହିଛନ୍ତି । ଏହା ଆନ୍ଧ୍ର ସରକାରଙ୍କୁ ଏକ ଶକ୍ତ ଧକ୍କା ବୋଲି କୁହାଯାଉଛି। ସେହି ଅଞ୍ଚଳର ବିକାଶ କରିବା ନେଇ ମାଲକାନଗିରି ପ୍ରଶାସନ ନିକଟରେ କୌଣସି ଅନୁଦାନ ନ ଥିବାରୁ ସେମାନେ ଆବେଦନକୁ ଆନ୍ଧ୍ର ସରକାରଙ୍କ ନିକଟକୁ ପଠାଇ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ମାନବିକତା ଦୃଷ୍ଟିରୁ ସ୍ବାସ୍ଥ୍ୟଗତ କିମ୍ବା ଅନ୍ୟ କୌଣସି ସମସ୍ୟା ହେଲେ ଓଡ଼ିଶାକୁ ଆସି ସେମାନେ ଚିକିତ୍ସିତ ହେବା ପାଇଁ ଓଡ଼ିଶା ପ୍ରଶାସନ ସେହି ଅଞ୍ଚଳବାସୀଙ୍କୁ କହିଛି । ଗ୍ରାମବାସୀ ଏବେ ଓଡ଼ିଶା ମୁହାଁ ହେଉଛନ୍ତି । ଉକ୍ତ ଅଞ୍ଚଳର ବିକାଶ କରିବାକୁ ଗ୍ରାମବାସୀ ମାଲକାନଗିରି ଜିଲା ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି। ରାସ୍ତାଘାଟ ଭଳି ମୌଳିକ ସୁବିଧା ନ ଥିବାରୁ ପୂର୍ବରୁ ଚକ୍ରାନ୍ତ କରି ଆନ୍ଧ୍ରପ୍ରଦେଶ ପ୍ରଶାସନ ସୀମାନ୍ତର କିଛି ଗ୍ରାମକୁ ନିଜ ରାଜ୍ୟରେ ମିଶାଇ ଦେଇଥିଲା । ବାସ୍ତବ କ୍ଷେତ୍ରରେ କିନ୍ତୁ ଉକ୍ତ ଅଞ୍ଚଳବାସୀ ଓଡ଼ିଶାର ଆଦିବାସୀ ସଂସ୍କୃତି ଓ କଳା ସହିତ ଜଡିତ । ଆନ୍ଧ୍ରପ୍ରଦେଶ ପେଦାବାଇଲି ବ୍ଲକ ମାଓବାଦୀଙ୍କ ଗଡ଼ ଥିଲା । ସର୍ବଦା ମାଓବାଦୀଙ୍କ ଚଳପ୍ରଚଳ, ହିଂସାକାଣ୍ଡରେ ସେହି ଅଞ୍ଚଳ ଥରୁଥିଲା । ସୀମା ସୁରକ୍ଷା ବଳ ଆସିବା ପରେ ପ୍ରଶାସନ ସେହି ଅଞ୍ଚଳକୁ ସୁରକ୍ଷା ଯୋଗାଇଛି । ମାଓବାଦୀ ପଛଘୁଞ୍ଚା ଦେଇଛନ୍ତି । ମାଲକାନଗିରି ପ୍ରଶାସନ ଧୂଳିପୁଟକୁ ବିକାଶର ରାସ୍ତା ଖୋଲିଛି । ଆନ୍ଧ୍ରର ଗ୍ରାମବାସୀ ଆନ୍ଧ୍ର ସରକାରଙ୍କୁ ଅଞ୍ଚଳର ବିକାଶ ନିମନ୍ତେ ଗୁହାରି କରିଥିଲେ। କୌଣସି ଅଧିକାରୀ କିମ୍ବା ରାଜନେତା ଅଭିଯୋଗ ନ ଶୁଣିବାରୁ ବାଧ୍ୟହୋଇ ସେହି ଅଞ୍ଚଳର ପ୍ରାୟ ୫୦୦ ପରିବାର ମାଲକାନଗିରି ପ୍ରଶାସନ ନିକଟକୁ ଆସି ମୌଳିକ ସୁବିଧା ପାଇଁ ଗୁହାରି କରିଛନ୍ତି।
Related Stories
November 23, 2024
November 23, 2024