-
କମ୍ପୁଟର ଓଜନ ମେସିନ ନବିକରଣ ହେଉନି
ସାଲେପୁର, କଟକ ଜିଲ୍ଲା ମାହାଙ୍ଗା ବ୍ଲକର ୩୭ଟି ପଂଚାୟତରେ ଏବେ ଦଣ୍ଡିପଲା ଏବଂ ଓଜନ ମେସିନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ତଦାରଖ କରିବା ପାଇଁ ଓଜନ ମାପ ବିଭାଗ ରହିଛି । ହେଲେ ଠିକ୍ ଭାବରେ ଦଣ୍ଡିପାଲ ନବିକରଣ କରାଯାଉନାହିଁ କି ଓଜନ ମେସିନକୁ ତଦାରଖ କରାଯାଉନାହିଁ । ଯାହା ଫଳରେ ଅନେକ ପଂଚାୟତର ରିଟେଲରମାନେ ସାଧାରଣ ଖାଉଟିଙ୍କୁ କଂଟ୍ରୋଲ ସାମଗ୍ରୀ ବଂଟନ ସମୟରେ ଠକୁଛନ୍ତି । କେତେକ ଡିଲର ଗଣମାଧ୍ୟମକୁ ନାମ ଗୋପନ ରଖି ସୂଚନା ଦେଇ କହିଛନ୍ତି ଯେ, ୫୦ କିଗ୍ରା ଚାଉଳ ବସ୍ତା ଓଜନ କଲେ ତାହା ୪୫ ରୁ ୪୬ କିଗ୍ରା ହେଉଛି । ବଂଟନ ସମୟରେ ଆମେ କିଭଳି ଭାବରେ ଉପଭୋକ୍ତାମାନଙ୍କୁ କମ୍ କରି କଂଟ୍ରୋଲ ସାମଗ୍ରୀ ଯଥା ଚାଉଳ ଓ ଗହମ ବଂଟନ କରିବୁ । ଉପରୁ କଂଟ୍ରାକ୍ଟର ଚାଉଳ ବସ୍ତା କମ୍ କରୁଥିବାରୁ ଆମେ ହଟହଟା ହେଉଛୁ । ଅପରପକ୍ଷରେ ମାହାଙ୍ଗା ବ୍ଲକର ବିଭିନ୍ନ ଅଂଚଳର ଦୋକାନୀମାନେ ନିଜର ଦଣ୍ଡିପଲା ଓ ବଟକରାର ଠିକ୍ ରେନୁ କରୁନାହାନ୍ତି । ଓଜନ ମାପ ବିଭାଗର ଚଢଉ କରାଯାଉ ନାହିଁ । ଯାହାଫଳରେ ସାଧାରଣ ଲୋକମାନେ କମ୍ ଓଜନର ଦ୍ରବ୍ୟ କିଣି ସଠିକ୍ ମୂଲ୍ୟ ଦେଉଛନ୍ତି । ଏଥିପାଇଁ ଦାୟୀ କିଏ । କାହା ସ୍ଵାର୍ଥରେ ଓଜନ ମାପ ବିଭାଗ କାର୍ଯ୍ୟ କରୁଛି । ସାଧାରଣରେ କଟକ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଯେ, ଖାଉଟିମାନଙ୍କର ସ୍ଵାର୍ଥ ଦୃଷ୍ଟିରୁ ତୁରନ୍ତ ମାହାଙ୍ଗା ଅଂଚଳରେ ଥିବା ତେଜରାତି ଓ ପରିବା ଦୋକାନ ଏପରିକି ସରକାରୀ ଯୋଗାଣ ବିଭାଗ ଦ୍ଵାରା ନିଯୁକ୍ତି ପାଇଥିବା ଡିଲର ପଏଂଟରେ ବ୍ୟବହାର କରାଯାଉଥିବା କମ୍ପ୍ୟୁଟର ଓଜନ ମେସିନକୁ ଯାଂଚ କରାଯିବା ଏବଂ ଦଣ୍ଡିପାଲର ସଠିକତାକୁ ନେଇ ଯାଂଚ କରାଯିବା ପାଇଁ ତୁରନ୍ତ ବିଭାଗୀୟ ନିର୍ଦ୍ଦେଶ ପ୍ରଦାନ କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଉଛି ।