-
ଜିଲ୍ଲାପାଳ ଦୃଷ୍ଟିଦେବାକୁ ଦାବି
ସାଲେପୁର, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବେଳକୁ ବେଳ ବଢୁଥିଲା ବେଳେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗାଁ ଗହଳିରେ ଇଟା ପୋଡାଳିମାନଙ୍କୁ ଲଗାମ୍ ଦିଆଯାଉନଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳୁଛି। ଅସହ୍ୟ ତାତି ସାଙ୍ଗକୁ ଇଟାଭାଟିର ତାତିରେ ଅସ୍ତବ୍ୟସ୍ତ ହୋଇପଡିଲେଣି ଲୋକେ। ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି ତହସିଲ ଅଧିନରେ ଥିବା ବିଭିନ୍ନ ଅଞ୍ଚଳରେ ବେଆଇନ ଭାବେ ଇଟାପକା କାର୍ଯ୍ୟ ଚାଲିଥିବା ବେଳେ ଅନେକ ସ୍ଥାନରେ ବର୍ଷ ବର୍ଷ ଧରି ଇଟା ମାଫିଆ ବେଧଡକ ଭାବେ ଇଟା ବ୍ୟବସାୟ ଚଳାଇଛନ୍ତି। ରାତିରେ ଅନେକ ସ୍ଥାନରେ ଜେସିବି ଦ୍ଵାରା ମାଟି ତଡା ଯାଇ ଟ୍ରାକ୍ଟରେ ବୁହାଯାଉଥିବା ଦେଖିବାକୁ ମିଳିଛି । ଅପରପକ୍ଷରେ ଇଟା ବ୍ୟବସାୟୀମାନେ ଲକ୍ଷାଧିକ ଇଟା ପକାଇବା ପାଇଁ ସ୍ଥାନୀୟ ତହସିଲଦାରଙ୍କ ନିକଟରୁ କୌଣସି ନିର୍ଦ୍ଦେଶ ନନେଇ ମାଟି ଉଠାଇ ନିଜର ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି । ସ୍ଥାନୀୟ ରେଭିନ୍ୟୁ ଅଫିସରମାନେ କାଁ ଭାଁ ଜୋରିମାନା କାଟି ନିଜ ପକେଟ ଗରମ କରୁଥିବା ଅଭିଯୋଗ ହୋଇଛି । ମାହାଙ୍ଗା ତହସିଲ କାର୍ଯ୍ୟାଳୟ ନିକଟରେ ଏ ସମ୍ପର୍କରେ କୌଣସି ତଥ୍ୟ ନାହିଁ । ୨୦୨୧ ମସିହାରେ ସୂଚନା ତଥ୍ୟ ମାଗିଥିଲେ ମଧ୍ୟ ମାହାଙ୍ଗାର ଏକ ନିର୍ଦିଷ୍ଟ ଅଂଚଳରେ ଇଟା ବ୍ୟବସାୟ ଚାଲିଥିଲା ବେଳେ ସମ୍ପୃକ୍ତ ଅଂଚଳ ଦାୟିତ୍ୱରେ ଥିବା ରାଜସ୍ଵ ନିରୀକ୍ଷକ ଇଟା ବ୍ୟବସାୟ ଚାଲୁନଥିବା ସୂଚନା ଦେଇଥିଲେ । ଏପରିକି ମାହାଙ୍ଗାର ଦ୍ୱୀପାଂଚଳରେ ଇଟା ବ୍ୟବସାୟ କୁଟୀର ଶିଳ୍ପ ପାଲଟିଛି । ହେଲେ ତହସିଲ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରୁନାହିଁ । ସାଧାରଣରେ ଚର୍ଚ୍ଚା ହେଉଛି ଯେ ଇଟା ମାଫିଆ ଓ ତହସିଲ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁ ମାହାଙ୍ଗାରେ ଇଟା ବ୍ୟବସାୟ ବଢି ଚାଲିଛି । ନିଶ୍ଚିନ୍ତକୋଇଲି ତହସିଲ ଅଧିନରେ ବେଧଡକ ଚୋରା ବାଲି ସାଙ୍ଗକୁ ଇଟାପକାଳିମାନଙ୍କ ତାଲିକା ତହସିଲଦାରଙ୍କ ପାଖରେ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ବେଆଇନ ଇଟା ବେପାରୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ମାହାଙ୍ଗା ତହସିଲ କାର୍ଯ୍ୟାଳୟ ଗ୍ରହଣ କରୁନଥିବା ଅନୁରୂପ ଅଭିଯୋଗ ସାଧାରଣରେ ହେଉଛି ।
ଗତ କିଛି ବର୍ଷ ତଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଇଟା ମାଫିଆଙ୍କ ଆକ୍ରମଣ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ହେଲେ ଭିତିରି ସଲାସୁତୁରା ଯୋଗୁ ଘଟଣାଟି ଲୋକଲୋଚନକୁ ନଆସି ଚପି ଯାଇଥିଲା । ତାତି ବଢୁଥିଲା ବେଳେ ଇଟାଭାଟି ପୋଡ଼ା କାହା ସ୍ଵାର୍ଥରେ ଚାଲିଛି । ବେନିୟମ ଭାବରେ ଇଟା ପକାଉଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କଟକ ଜିଲ୍ଳାପାଳଙ୍କ ନିକଟରେ ଦାବି ହେଉଛି ।