ଭୁବନେଶ୍ୱର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଅଖିଳ ଭାରତୀୟ ପ୍ରତିନିଧି ସଭାର ବୈଠକ ଗୁଜୁରାଟର ଅହମ୍ମଦାବାଦ ଠାରେ ମାର୍ଚ୍ଚ ୧୧ ଠାରୁ ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ତିନିଦିନ ଧରି ଚାଲିଥିଲା । ଏଥିରେ ଆତ୍ମନିର୍ଭରଶୀଳ ଭାରତ ଗଠନର ପ୍ରଚେଷ୍ଟା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଥିଲା । ଏହା ସହିତ ଅମୃତ ମହୋତ୍ସବ ଅବସରରେ ଆମ ଦେଶ ସ୍ୱାଧୀନତା ଠାରୁ ସ୍ୱତନ୍ତ୍ରତା ପର୍ଯ୍ୟନ୍ତ ଚାଲି ଆସିଥିବା ଆନ୍ଦୋଳନ ସମ୍ବନ୍ଧରେ ବିଚାର କରିବା ପାଇଁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ତରଫରୁ ଉଲ୍ଲେଖ କରାଯାଇଛି । ଆଜି ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ସଂଘର ଓଡିଶା ପୂର୍ବପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି ପ୍ରକାଶ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ,ସଂଘର ପ୍ରତିନିଧି ସଭା ମତ ଦେଇଛନ୍ତି ଯେ, ଭାରତୀୟ ଅର୍ଥନୈତିକ ମଡେଲ-ମାନବକେନ୍ଦ୍ରିତ, ପର୍ଯ୍ୟାବରଣ ଅନୁକୁଳ, ଶ୍ରମପ୍ରଧାନ, ବିକେନ୍ଦ୍ରିକରଣ, ସୁଷମବଂଟନ, ଗ୍ରାମୀଣ ଅର୍ଥ ବ୍ୟବସ୍ଥା, ସୁକ୍ଷ୍ମ ଉଦ୍ୟୋଗ, ଲଘୁୁ ଉଦ୍ୟୋଗ,କୃଷି ଆଧାରିତ ଉଦ୍ୟୋଗ ଏବଂ ମହିଳା ରୋଜଗାର ଦ୍ୱାରା ସ୍ୱରୋଜଗାର ସୃଷ୍ଟିକରାଯାଇ ପାରିବ । ଏଥିପାଇଁ ସାମାଜିକ ପରିସ୍ଥିତି ଅନୁରୂପ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ଚେଷ୍ଟା କରିବାକୁ ପଡିବ । ଏହି କାର୍ଯ୍ୟ ନିମିତ ସ୍ୱୟଂସହାୟକ ଗୋଷ୍ଠୀ, ସମବାୟ ସଂସ୍ଥା,ଶିଳ୍ପଉଦ୍ୟୋଗୀ ଓ ପ୍ରତିଭାବାନ ବ୍ୟକ୍ତିମାନଙ୍କର ପ୍ରଚେଷ୍ଟାର ଆବଶ୍ୟକତା ରହିଛି । ସ୍ୱଦେଶୀ ଏବଂ ସ୍ୱାବଲମ୍ବନ ବିଚାର ଆଧାରରେ ଅନେକ ଷ୍ଟାଟ-ଅପ୍ ତଥା ହସ୍ତଶିଳ୍ପ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଦ୍ୱାରା ଦେଶର ଯୁବଗୋଷ୍ଠୀ ରୋଜଗାରକ୍ଷମ ହୋଇପାରିବେ । ପ୍ରତିନିଧି ସଭା କହିଛନ୍ତି ଯେ, ଦେଶର ଦୁର୍ବଳ ଏବଂ ବଂଚିତ ସମାଜ ସହିତ ସମଗ୍ର ସମାଜରେ ରୋଜଗାର ସୃଷ୍ଟି କରୁଥିବା ସଫଳ କାହାଣୀକୁ ବିଚାର କରିବାକୁ ପଡିବ ।
ଏହି ବୈଠକରେ ସଂଘର ସରକାର୍ଯ୍ୟବାହ ଦତାତ୍ରେୟ ହୋସୱାଲେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତି ଦେଇଛନ୍ତି । ସେ କହିଛନ୍ତି ଯେ,ଆମ ଦେଶର ସ୍ୱାଧୀନତା ପ୍ରାପ୍ତି ପାଇଁ ଅନେକ ଶତାବ୍ଦି ଧରି ସଂର୍ଘଷ ଜାରି ରହିଥିଲା । ଏହାକେବଳ ରାଜନୈତିକ ସଂର୍ଘଷ ନଥିଲା, ବରଂ ଏକ ସାମାଜିକ-ସାଂସ୍କୃତିକ ଆନ୍ଦୋଳନ ଥିଲା । ବ୍ରିଟିଶ ସରକାର ଆମର ସ୍ୱଦେଶୀ ଅର୍ଥନୀତି,ରାଜନୈତିକ ବ୍ୟବସ୍ଥା, ବିଶ୍ୱାସ ଏବଂ ଶିକ୍ଷାବ୍ୟବସ୍ଥା ଉପରେ ଆକ୍ରମଣ କରିଥିଲେ । ଦେଶକୁ ଏଥିରୁ ରକ୍ଷା କରିବା ପାଇଁ ଯେଉଁ ଜାତୀୟ ଆନ୍ଦୋଳନ ହୋଇଥିଲା ସେଥିରେ ସଂଘର ସ୍ୱୟଂସେବକମାନେ ଡକ୍ଟର ହେଡଗେୱାରଙ୍କ ନେତୃତ୍ୱରେ ବହୁପରିମାଣରେ ଯୋଗଦେଇଥିଲେ । ଏହି ଆନ୍ଦୋଳନରେ ଆମ ଜ୍ଞାତସାରରେ ଏବଂ ଅଜ୍ଞାତରେ ଅନେକ ବୀରପୁରୁଷ ଭାଗନେଇଥିଲେ । ସମଗ୍ର ଭାରତୀୟ ସମାଜ ହେଉଛି ଗୋଟିଏ ଜାତି, ଏହି ବିଚାର ଆମକୁ ୭୫ତମ ସ୍ୱାଧୀନତା ବା ଅମୃତ ମହୋତ୍ସବ ଅବସରରେ ଦେଶର ସମସ୍ତ ନାଗରିକମାନଙ୍କ ପାଖରେ ପହଁଚାଇବାକୁ ପଡିବ । ଏଥିପାଇଁ ଆତ୍ମନିର୍ଭର ସଂକଳ୍ପ ସହିତ ଭାରତ କେନ୍ଦ୍ରିତ ଶିକ୍ଷାନୀତିକୁ କ୍ରିୟାନ୍ୱୟନ କରିବାକୁ ପଡିବ ।
ଏହି ବୈଠକରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ସମଗ୍ର ଦେଶରେ ସଂଘର ୮୧,୬୧୦ଟି ଶାଖା ଲାଗୁଛି । ତନ୍ମଧ୍ୟରୁ ଓଡିଶାରେ ୧୮୭୬ଟି ଶାଖା ଚାଲୁଅଛି । ଓଡିଶାରୁ ୪୭ଜଣ ସହିତ ସମଗ୍ର ଦେଶରୁ ୧୨୧୧ ଜଣ ପ୍ରତିନିଧି ଏଥିରେ ଭାଗ ନେଇଥିଲେ । ବୈଠକ ଆରମ୍ଭରେ ଗତବର୍ଷ ମୃତ୍ୟୁବରଣ କରିଥିବା ରାଜ୍ୟ ତଥା ଦେଶର ଅନେକ ବ୍ୟକ୍ତିମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା, ଯେଉଁଥିରେ କି ବିଶିଷ୍ଟ ବ୍ୟକ୍ତିମାନଙ୍କ ସହିତ ସ୍ୱର ସାମ୍ରାଜ୍ଞୀ ସୁଶ୍ରୀ ଲତା ମଂଗେସକର ଏବଂ ଓଡିଶାର ସିନେ କଳାକାର ମିହିର ଦାସ, ସଙ୍ଗୀତଜ୍ଞ ଡ. ଦାମୋଦର ହୋତା, ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ଆଦିଙ୍କ ନାମ ଉଲ୍ଲେଖଯୋଗ୍ୟ ।
ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବକ୍ଷେତ୍ରର କାର୍ଯ୍ୟବାହ ଡ.ଗୋପାଳ ପ୍ରସାଦ ମହାପାତ୍ରଙ୍କ ସହିତ ପ୍ରାନ୍ତର ସହପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ ।