ସାଲେପୁର, ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ ଥାନା କଳମିଶ୍ରି ପଞ୍ଚାୟତ ଲେଣ୍ଡୁରାଭଗବାନପୁର ସ୍ଥିତ କଟକ ଡ୍ରେନେଜ୍ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରାଙ୍କ ପୈତୃକ ବାସଭବନ ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇଛି ।
ସୂଚନାରୁ ପ୍ରକାଶ, ଆଜି ଭୋର ସମୟରେ ଭିଜିଲାନ୍ସ ଡିଏସପି ରତିକାନ୍ତ ସିହ୍ନାଙ୍କ ନେତୃତ୍ବରେ ସବଇନ୍ସପେକ୍ଟର ଉର୍ମିଳା ଲାକ୍ରା, ନରେନ୍ଦ୍ର ନନ୍ଦଙ୍କ ସମେତ ଅନ୍ୟ ଚାରି ଜଣ କର୍ମଚାରୀ ମିଳିତ ଚଢଉ କରିଛନ୍ତି । ଯନ୍ତ୍ରୀ ଶ୍ରୀ ବେହେରାଙ୍କ ପୈତୃକ ସଂପତ୍ତି ବ୍ୟତୀତ ଅନ୍ୟ କୌଣସି ସନ୍ଧାନ ମିଳିନଥିବା ଜଣାପଡିଛି । ତେବେ ଚଢଉ ଶେଷ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଲି ଭିଜିଲାନ୍ସ ଡିଏସପି ଶ୍ରୀ ସିହ୍ନା ସୂଚନା ଦେଇଛନ୍ତି ।
ପ୍ରକାଶ ଥାଉ କି, ଭିଜିଲାନ୍ସ ଚଢଉ ସଂପର୍କରେ ଯନ୍ତ୍ରୀ ମନୋଜ ବେହେରାଙ୍କ ସହ ଫୋନ୍ ଯୋଗେ ମତାମତ ଜାଣିବା ପାଇଁ ଆମ ପ୍ରତିନିଧି ଉଦ୍ୟମ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ । ଖବର ଲେଖାଯିବା ସୁଦ୍ଧା ସଂପୂର୍ଣ୍ଣ ବିବରଣୀ ହସ୍ତଗତ ହୋଇନାହିଁ ।