-
ପୀଠର ଉନ୍ନତି ପାଇଁ ଅଞ୍ଚଳବାସୀଙ୍କ ଦାବି
ସାଲେପୁର, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତସ୍ଥିତ ସର୍ବପୁରାତନ ଅନନ୍ତେଶ୍ଵର ପୀଠଟି ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିବା ବେଳେ ଭାରତୀୟ ପତ୍ନତତ୍ଵ ବିଭାଗ ଏହି ପୀଠକୁ ୫ ବର୍ଷରୁ ଉର୍ଦ୍ଧ ହେବ ନିଜ ଅଧିନକୁ ନେଇଥିଲେ। ହେଲେ ଅଦ୍ୟାବଧି ପୀଠରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ଦେଖିବାକୁ ମିଳିନାହିଁ । ଫଳରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ତେବେ ପୀଠଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିବାରୁ ପୀଠକୁ ଆସୁଥିବା ହଜାର ହଜାର ଶ୍ରଦ୍ଧାଳୁ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଅନନ୍ତେଶ୍ଵରଙ୍କ ପୀଠରେ ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିଲା ବେଳେ ଠାକୁରଙ୍କ ମନ୍ଦିରଟି ଦୀର୍ଘ ଦିନ ହେବ ଭାଙ୍ଗିରୁଜି ପଡିରହିଛି । ଅପରପକ୍ଷରେ ପୀଠ ଚର୍ତୁପାର୍ଶ୍ଵରେ ଥିବା ପାର୍ଶ୍ଵ ଦେବାଦେବୀ, ପାକଶାଳା, ବୈଠକ ଘର ଆଦି ଅବହେଳିତ ଅବସ୍ଥାରେ ପଡିରହିଛି । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେବା ପରେ ଆଜି ଭାରତୀୟ ପ୍ରତ୍ନତତ୍ଵ ସର୍ବେକ୍ଷଣ ଭୁବନେଶ୍ଵର ମଣ୍ଡଳ ପକ୍ଷରୁ ପ୍ରତ୍ନତତ୍ଵ ସହାୟକ ଅରୁଣିମା ପତି, ସର୍ବେକ୍ଷକ ପ୍ରଦୀପ୍ତ କୁମାର ରାଉତ, ଅନୀଲ ମିଶ୍ର, ‘ଟୋଗ୍ରା‘ର ପ୍ରିୟଦର୍ଶିନୀ କର, ସୁମନ୍ତ ବିଶ୍ଵାସ ପ୍ରମୁଖ ଅନନ୍ତେଶ୍ୱର ପୀଠରେ ପହଞ୍ଚି ଠାକୁରଙ୍କ ୧.୭୬ ଏକର ସଂପତ୍ତିକୁ ଚିହ୍ନଟ କରିବା ସହିତ ପୀଠର କିଭଳି ବିକାଶ ହେବ ସେ ସଂପର୍କରେ ଆଲୋଚନା କରିଛନ୍ତି । ମୁଖ୍ୟ ପୂଜକ ମୁରଲୀଧର ପଣ୍ଡା, ଅମୂଲ୍ୟ କୁମାର ପଣ୍ଡା, ସୁଧାକର ପଣ୍ଡାଙ୍କ ସମେତ ସ୍ଥାନୀୟ ଅଂଚଳବାସୀ ଏହି ପ୍ରତିନିଧି ମଣ୍ଡଳୀ ସହିତ ଆଲୋଚନା କରିଥିବା ଜଣାପଡିଛି ।