ଭୁବନେଶ୍ୱର ଭୁବନେଶ୍ୱର ସହୀଦ ନଗର ସ୍ଥିତ ଶ୍ରୀ ବିଷ୍ଣୁ ମନ୍ଦିର ଠାରେ ଭାରତ ବିକାଶ ପରିଷଦ ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତୀୟ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଅଧ୍ୟକ୍ଷ ଶୁଭାଶିଷ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସଚିଦାନନ୍ଦ ପଣ୍ଡା, ପୂର୍ବ କ୍ଷେତ୍ର ରାଷ୍ଟ୍ରୀୟ ସଚିବ ପୂର୍ଣ୍ଣ ଚନ୍ଦ୍ର ଖୁଣ୍ଟିଆ, ପ୍ରାନ୍ତ ପୃଷ୍ଠପୋଷକ ପ୍ରାକ୍ତନ ପ୍ରଶାସକ ଲକ୍ଷ୍ମଣ ମହାନ୍ତି ଓ ପ୍ରଫେସର ଧନୁର୍ଦ୍ଧାରୀ ମିଶ୍ର ଅତିଥି ଭାବେ ଯୋଗ ଦେଇ ପରିଷଦର ଆରାଧ୍ୟ ମାଆ ଭାରତୀ ଓ ଯୁଗ ପୁରୁଷ ସ୍ୱାମୀ ବିବେକାନନ୍ଦ ଙ୍କ ଚରଣରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପମାଲ୍ୟ ଅର୍ପଣ ସହ ସମୂହ ବନ୍ଦେ ମାତରଂ ଗାନ କରି ବୈଠକକୁ ଉଦ୍ଘାଟନ କରିଥିଲେ ।
ପୂର୍ବ ପ୍ରାନ୍ତ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ଧାମ ଶାଖା, ସତ୍ୟବାଦୀ ଶାଖା, ଭୁବନେଶ୍ୱର ଏକାମ୍ର ଶାଖା, ଉତ୍ତର ଶାଖା, କେନ୍ଦ୍ରୀୟ ଶାଖା, ବାଣୀବିହାର ଶାଖା, ଚନ୍ଦ୍ର ଶେଖର ପୁର ଶାଖା, କଟକ ଚଣ୍ଡୀ ଶାଖା, ସହୀଦ ବାଜି ରାଉତ ଢେଙ୍କାନାଳ ଶାଖା, ବ୍ରହ୍ମପୁର ଶାଖା ଓ ନୟାଗଡ଼ ଶାଖା ୧୧ ଟି ଶାଖା ର ପଦାଧିକାରୀ ଯୋଗଦେଇ ନିଜ ନିଜର ପରିଚୟ ପ୍ରଦାନ କରିବା ସହିତ ଶାଖା ସଚିବ ମାନଙ୍କ ଦ୍ୱାରା ଚଳିତ ବର୍ଷ ର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ପରିଷଦର ଉକ୍ତ ବୈଠକରେ ଆସନ୍ତା ୨୦୨୨-୨୩ ବର୍ଷ ପାଇଁ ପ୍ରାନ୍ତୀୟ କାର୍ଯ୍ୟକର୍ତା ଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନକୁ ପରିଚାଳନା କରିବା ପାଇଁ କେନ୍ଦ୍ରୀୟ କାର୍ଯ୍ୟାଳୟ ଦ୍ୱାରା ନିଯୁକ୍ତ ଝାଡ଼ଖଣ୍ଡ ପ୍ରାନ୍ତ ର କ୍ଷତ୍ରିୟ ସଚିବ ହରି ରଞ୍ଜନ ସିଂ ନିର୍ବାଚନ ଅଧିକାରୀ ଭାବେ ଯୋଗ ଦେଇଥିଲେ ପ୍ରାନ୍ତ ସଂଗଠନ ସଚିବ ସୌମେନ୍ଦ୍ର ଦାସଙ୍କ ଦ୍ୱାରା ପରିଚାଳନା କରିଥିଲେ । ଚଳିତ ୨୦୨୨-୨୩ ବର୍ଷ ପାଇଁ ପ୍ରାନ୍ତୀୟ ଅଧ୍ୟକ୍ଷ ଭାବରେ ଶୁଭାଶିଷ କର, ମହାସଚିବ ଭାବେ ପ୍ରଦୀପ୍ତ କୁମାର ମହାରଣା ଓ ଅର୍ଥ ସଚିବ ଭାବେ ଦୁଃଖିଶ୍ୟାମ ଦାସ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ । ଆସନ୍ତା ଏପ୍ରିଲ ମାସରେ ପ୍ରାନ୍ତୀୟ ପରିଷଦର ଶପଥ ଉତ୍ସବରେ ପ୍ରାନ୍ତୀୟ ପଦାଧିକାରୀ ମାନେ ଶପଥ ଗ୍ରହଣ କରି ଦାୟିତ୍ୱ ଗ୍ରହଣ କରିବେ । ଏହି ଅବସରରେ ଭାରତକୁ ଜାଣ ଏବଂ ପାରିବାରିବାରିକ ଏକଲ ଗୀତ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଉପାଧ୍ୟକ୍ଷ ସୁପ୍ରୀତି ରଥ, ପ୍ରାନ୍ତୀୟ ଆବାହକ ମନୋରଞ୍ଜନ ଦାସ, ମନୋରଂଜନ ମହାନ୍ତି ଓ ପୂର୍ଣ୍ଣ ଚନ୍ଦ୍ର ସାହୁ ।