-
ବାଗଚୀ-କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ରରେ ବର୍ହିବାଭାଗ ସେବା ଆରମ୍ଭ
ଭୁବନେଶ୍ୱର, ଓଡ଼ିଶାରେ କ୍ୟାନ୍ସର ଚିକିତ୍ସା କ୍ଷେତ୍ରରେ ଅନ୍ୟଏକ ମାଇଲ୍ ଖୁଂଟ ଭାବେ ଗଢ଼ିଉଠୁଥିବା ବାଗଚୀ-ଶଙ୍କର କ୍ୟାନ୍ସର୍ ହସ୍ପିଟାଲ୍ ଓ ଗବେଷଣା କେନ୍ଦ୍ରର ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଓଡ଼ିଶା କୌଶଳ ବିକାଶ କର୍ତୁପକ୍ଷ ଅଧ୍ୟକ୍ଷ ତଥା ହସ୍ପିଟାଲ ଓ କରୁଣାଶ୍ରୟର ପ୍ରମୁଖ କର୍ଣ୍ଣଧାର ଡଃ ସୁବ୍ରତୋ ବାଗଚୀଙ୍କ କ୍ଷେତ୍ରପରିଦର୍ଶନ ଏବଂ ସମୀକ୍ଷାରୁ ଏହା ଜଣାପଡ଼ିଛି । ଏହି ହସ୍ପିଟାଲ୍ ପାଇଁ ରାଜ୍ୟସରକାର ଇନଫୋଭ୍ୟାଲି-୨ ରେ ଯୋଗାଇ ଦେଇଥିବା ୨୦ ଏକର ପରିମିତ ଅଂଚଳ ପରିଦର୍ଶନ କରି ଶ୍ରୀ ମହାପାତ୍ର ନିର୍ମାଣ କାର୍ଯ୍ୟର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଥିଲେ ।
ସମୀକ୍ଷାରୁ ଜଣାପଡ଼ିଥିଲାଯେ ଇତିମଧ୍ୟରେ ପୂର୍ବରୁ ଏହା ୫୦୦ ଶଯ୍ୟା ପାଇଁ ଯୋଜନା କରାଯାଇଥିଲା ବେଳେ ବର୍ତମାନ ଏହି ହସ୍ପିଟାଲକୁ ୭୫୦ ଶଯ୍ୟା ବିଶିଷ୍ଟ କରିବା ପାଇଁ ନିର୍ମାଣ କାମ ଆରମ୍ଭ ହୋଇଛି । ଇତି ମଧ୍ୟରେ ବର୍ହିବିଭାଗ ଚିକିତ୍ସା କୋଠା ଏବଂ ଗ୍ରାଉଣ୍ଡ ଫ୍ଲୋର କାମରେ ଦୃତ ଅଗ୍ରଗତି ହୋଇଛି । ଚଳିତ ବର୍ଷ ମେ ମାସ ଶେଷ ସୁଦ୍ଧା ଗ୍ରାଉଣ୍ଡ ଫ୍ଲୋରର ଛାତ ପଡ଼ିବ । ଏହି ହସ୍ପିଟାଲ୍ ରେ ରୋଗୀ ଏବଂ ତାଙ୍କର ସହାୟକଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ଉପଲବ୍ଧ ହେବ । କ୍ୟାଂଟିନ୍, ଶୌଚାଳୟ, ପାର୍କିଂ ସ୍ଥାନ, ଅତ୍ୟାବଶ୍ୟକୀୟ ପଦାର୍ଥ ସରଞ୍ଜାମ ଦୋକାନ ଆଦି ଉପଲବ୍ଧ ହେବ । ହସ୍ପିଟାଲ୍ ଚତୁପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପାଇଁ ସବୁଜ ବଳୟ ସୃଷ୍ଟି ସହ ପରିସର ଭିତରେ ଥିବା ପ୍ରକୃତିକ ଖାଲୁଆ ଯାଗାକୁ ଏକ ସୁନ୍ଦର ପୁଷ୍କରିଣୀ ଭାବେ ବିକଶିତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
ନିର୍ମାଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ଦ୍ରବ୍ୟ, ଆଇନ୍ ଶୃଙ୍ଖଳା ସ୍ଥିତି, ନିର୍ମାଣ ନିମନ୍ତେ ମାନବ ସମ୍ବଳ, ଯନ୍ତ୍ରପାତି ଆଦିର ଉପଲବ୍ଧି ବିଷୟରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ସମୀକ୍ଷା କରିଥିଲେ । ଏସବୁ ବିଷୟରେ କିଛି ଅସୁବିଧା ଅଛିକି ବୋଲି କ୍ଷେତ୍ରରେ କାର୍ଯ୍ୟରତ ଇଞ୍ଜିନିଅର ଏବଂ ସୁପରଭାଇଜରମାନଙ୍କୁ ପଚାରି ବୁଝିଥିଲେ । ନିର୍ମାଣପାଇଁ କୌଣସି ବିଶେଷ ଅସୁବିଧା ନଥିବା କଥା ଇଞ୍ଜିନିଅର ମାନେ ଜଣାଇଥିଲେ । ୨୦୨୩ ମସିହା ରଥଯାତ୍ରା ସୁଦ୍ଧା ହସ୍ପିଟାଲର ପ୍ରଥମ ପର୍ଯ୍ୟାୟ ନିର୍ମାଣ ଶେଷ କରି ରୋଗୀସେବା ଆରମ୍ଭ କରିବା ପାଇଁ ସମୀକ୍ଷା ସମୟରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ହସ୍ପିଟାଲ୍ ନିର୍ମାଣରେ ପ୍ରାୟ ୨୨୦ କୋଟି ଟଙ୍କା ବିନିଯୋଗ ହେବାର ଆକଳନ କରାଯାଇଛି ।
ପରେ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଏବଂ ଡଃ ବାଗଚୀ ଇନଫୋଭ୍ୟାଲି-୨ ରେ ବାଗଚୀ କରୁଣାଶ୍ରୟ ଉପଶମ ଚିକିତ୍ସା କେନ୍ଦ୍ର ପରିସର ଯାଇ ସେଠାରେ ମଧ୍ୟ ନିର୍ମାଣ ଓ ସେବା ଯୋଗାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ପ୍ରାୟ ୨୧୦ କୋଟି ଟଙ୍କା ଆକଳନରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ୨୦୨୩ ଜୁଲାଇ ମାସ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହାକୁ ୧୫୦ ଶଯ୍ୟା ବିଶିଷ୍ଟ ଉପଶମ ଚିକିତ୍ସା କେନ୍ଦ୍ର ଭାବେ ବିକଶିତ କରାଯିବ । ଶିକ୍ଷା ଓ ଗବେଷଣା ନିମନ୍ତେ ଏଥିରେ ୫୦୦ ସିଟ୍ ବିଶିଷ୍ଟ ଅଡିଟୋରିମ୍ର ବ୍ୟବସ୍ଥା କରାଯିବ ।
ଗଣ୍ଡମୁଣ୍ଡାଠାରେ ଆରମ୍ଭ କରାଯାଇଥିବା ଅସ୍ଥାୟୀ ଗୃହଭିତ୍ତିକ ସେବାଯୋଗାଣ କେନ୍ଦ୍ରରେ ମଧ୍ୟ ବର୍ହିବିଭାଗ ଚିକିତ୍ସା ଆରମ୍ଭ କରାଯାଇଛି ବୋଲି ଡକ୍ଟର ବାଗଚୀ ଜଣାଇଥିଲେ । ଏହି କେନ୍ଦ୍ରରେ ଗୃହଭିତିକ ସେବା ଯୋଗାଣ ଏବଂ ବର୍ହିବିଭାଗ ଚିକିତ୍ସା ପାଇଁ ଆବଶ୍ୟକୀୟ ଡାକ୍ତର, ନର୍ସ, ଫାମାସିଷ୍ଟ, ଗାଡ଼ି ଏବଂ ଆନୁସଙ୍ଗିକ ବ୍ୟବସ୍ଥା ଆଦିରେ ପରିମାଣାତ୍ମକ ଓ ଗୁଣାତ୍ମକ ବିକାଶ କରାଯାଇଛି । ଚଳିତ ମାର୍ଚ୍ଚ ମାସରୁ ପ୍ରତି ସପ୍ତାହର ଶୁକ୍ରବାର ଦିନ ଏହି ଚିକିତ୍ସା ଓ ଓøଷଧ ଯୋଗାଇ ଦିଆଯାଇଛି । ସୂଚନା ଯୋଗ୍ୟ, ଏହି ଅସ୍ଥାୟୀ ଗୃହସେବା ଚିକିତ୍ସା କେନ୍ଦ୍ରକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗତ ଡିସେମ୍ବର ମାସରେ ଉଦ୍ଘାଟନ କରିଥିଲେ ।
ଇତି ମଧ୍ୟରେ ୧୨୮ ଜଣ ରୋଗୀଙ୍କୁ କେନ୍ଦ୍ର ତରଫରୁ ଗୃହଭିତିକ ଉପଶମ ଚିକିତ୍ସା ଓ ଯତ୍ନ ଯୋଗାଇ ଦିଆଯାଇଛି । ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ୍, ଏମ୍ସ୍, କ୍ୟାପିଟାଲ୍ ହସ୍-ପିଟାଲ୍ ଆଦିରୁ ଶେଷ ପର୍ଯ୍ୟାୟ ଉପମଶମ ଚିକିତ୍ସା ଦରକାର କରୁଥିବା ରୋଗୀମାନଙ୍କୁ ଏଠାକୁ ପଠାଯାଉଛି । ବର୍ତମାନ ସୁଦ୍ଧା ୩୬ ଜଣ ଏପରି ରୋଗୀଙ୍କୁ ବର୍ହିବିଭାଗ ରେଫେରାଲ୍ କେସ୍ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି । ଏହାଛଡ଼ା କର୍କଟ ରୋଗରେ ମୃତ୍ୟୁବରଣ କରିଥିବା ୬ଟି ଗରିବ ପରିବାରଙ୍କୁ ମଧ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କ ମାଧ୍ୟମରେ ଖାଦ୍ୟ ସାମଗ୍ରୀ ଓ ପିଲାଙ୍କ ପାଠପଢ଼ା ସହାୟତା ଯୋଗାଇବାର ସମନ୍ୱୟ କରାଯାଇଛି ।
ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ସମୟରେ ଡକ୍ଟର ସୁବ୍ରତୋ ବାଗଚୀଙ୍କ ସମେତ ହସ୍-ପିଟାଲର ମୁଖ୍ୟ ଅର୍କିଟେକ୍ ସୁନ୍ଦର ରମନ୍, କରୁଣାଶ୍ରୟର ମୁଖ୍ୟ ଆର୍କିଟେକ ଏନ୍. ମେଡାପ୍ପା, କରୁଣାଶ୍ରୟର ପରିଚାଳକ ଜ୍ଞାନ ରଂଜନ ମହାପାତ୍ର, ପ୍ରକଳ୍ପ ପରିଚାଳକ ଲଲାଟେନ୍ଦୁ ଚୌଧୂରୀ ପ୍ରମୁଖ କ୍ଷେତ୍ରସ୍ତରୀୟ ସ୍ଥିତି ସହ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।