ଭୁବନେଶ୍ୱର, ଚିଲିକାର ବିଜେଡି ବିଧାୟକ ଗାଡି ଚଢାଇ ବିଜେପିର କର୍ମୀଙ୍କୁ ମାରିବାକୁ ଉଦ୍ୟମ କରିବା ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ । ଏହି ମାମଲାରେ ବିଜେଡି ନାଟକ କରୁଛି । ବିଜେଡି ପ୍ରଶାନ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ସହ ତାଙ୍କୁ ଦଳରୁ ବହିଷ୍କାର କରୁ ବୋଲି ଦାବି କରିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର ।
ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ବିଧାୟକଙ୍କ ଦବଙ୍ଗଗିରି ବାରମ୍ବାର ସାମ୍ନାକୁ ଆସୁଥିଲେ ବି କାହିଁକି ତାଙ୍କୁ ବିଜେଡି ଦଳରୁ ବହିଷ୍କାର କରିନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ । ଗତକାଲି ବିଜେଡି ମୁଖପାତ୍ର କହିଲେ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା । ମାତ୍ର ଏହି ନିଲମ୍ବନ କେବଳ ଏକ ନାଟକ ହିଁ ଥିଲା ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପ୍ରଶାନ୍ତ ଜଗଦେବଙ୍କୁ ପାର୍ଟିରୁ ନିଲମ୍ବନ କରା ଯାଇଥିବା କଥା ଦଳ କହୁଥିବା ବେଳେ ସେ ଦଳର ସମସ୍ତ କାର୍ଯ୍ୟକ୍ରମରେ ସାମିଲ ହେଉଥିଲେ । ତେଣୁ ତାଙ୍କୁ ବହିଷ୍କାର କରଯାଉ । ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯାଉ । ତାଙ୍କ ଏପରି ଆଚରଣ ପାଇଁ ଓଡ଼ିଶାର ଛବି ମଳିନ ହୋଇଛି ।
ସେ କହିଛନ୍ତି ଯେ ପ୍ରଶାନ୍ତ ପ୍ରଥମ ଥର ପାଇଁ ଏପରି କରିଛନ୍ତି ତା ନୁହେଁ । ସେ ବାରମ୍ବାର ଏପରି କରି ଆସୁଛନ୍ତି ଓ ତାଙ୍କୁ ସରକାର ଛାଡି ଦେଉଛନ୍ତି । ବୌଦ୍ଧ ଜିଲ୍ଲାରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ବା ଚିଲିକାରେ ଦଳିତ ଯୁବକକୁ ମାଡ଼ ମାରି ଲହୁ ଲୁହଣ କରିବା ଘଟଣା ସେ ଅତୀତରେ ଘଟାଇଛନ୍ତି ।