
ସାଲେପୁର ,ସାଲେପୁର ବ୍ଳକ ପ୍ରଶାସନ ପକ୍ଷରୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଭୋଟ ଗଣତି ଖାମଖିଆଲୀ ନୀତିରେ କରାଯାଇଥିବା ଶିଶୁଆ ପଂଚାୟତର ୭ ନଂ ୱାର୍ଡବାସୀ ଅଭିଯୋଗ କରିବା ସହ ଏହାର ପ୍ରତିବାଦରେ ଗତ ୮ ତାରିଖରେ ବ୍ଲକ ସମ୍ମୁଖରେ ଧାରଣା ଦେଇଥିଲେ । ହେଲେ ଧାରଣାସ୍ଥଳକୁ ବିଡିଓ ରାଜୀବ ଦାସ ପହଂଚି ଧାରଣାକାରୀଙ୍କ ସହ ଆଲୋଚନା କରିବା ସହିତ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ କରାଯିବ ବୋଲି କହିଥିଲେ । ହେଲେ ୱାର୍ଡବାସୀଙ୍କ ଅଭିଯୋଗର କୌଣସି ସୁଫଳ ପ୍ରଶାସନ ତରଫରୁ ନ ମିଳିବାରୁ ପୁନର୍ବାର ୱାର୍ଡବାସୀ ଗତକାଲି ଶିଶୁଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏପରିକି ନାଏବ ସରପଂଚ ନିର୍ବାଚନ ମଧ୍ୟ ସ୍ଥଗିତ ରହିଥିବା ଜଣାପଡିଛି । ଧାରଣାକାରୀଙ୍କ ଅଭିଯୋଗ ମୁତବାକ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ସାଲେପୁର ବ୍ଲକ ଅନ୍ତର୍ଗତ ଶିଶୁଆ ପଂଚାୟତ ୭ ନଂ ୱାର୍ଡରୁ ଜୟଦେବ ରାଉତ ୱାର୍ଡସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିଲେ । ଗତ ୨୬ ତାରିଖରେ ସାଲେପୁର ହାଇସ୍କୁଲ ଭୋଟ ଗଣତି କେନ୍ଦ୍ରରେ ୱାର୍ଡସଭ୍ୟ ପ୍ରାର୍ଥୀ ଜୟଦେବ ରାଉତ ୧୯୧ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ଜଗନ୍ନାଥ ବେହେରା ୮୨ ଖଣ୍ଡ ଭୋଟ ପାଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । କେନ୍ଦ୍ରରେ ଉପସ୍ଥିତ ଥିବା ୱାର୍ଡସଭ୍ୟ ପ୍ରାର୍ଥୀ କେନ୍ଦ୍ରରେ ଏହା ଦେଖିଥିଲା ବେଳେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସେ ବିଜୟୀ ହୋଇଥିବା ଘୋଷଣା କରାଯାଇଥିଲା । କିନ୍ତୁ ବ୍ଳକ ପ୍ରଶାସନ ପକ୍ଷରୁ ଗତ ୭ ତାରିଖରେ ପଂଚାୟତ କାର୍ଯ୍ୟାଳୟକୁ ଆସିଥିବା ବିଜୟୀ ପ୍ରାର୍ଥୀଙ୍କ ତାଲିକାରେ ଜୟଦେବଙ୍କ ନାମ ପରିବର୍ତ୍ତେ ପରାଜିତ ପ୍ରାର୍ଥୀ ଜଗନ୍ନାଥଙ୍କ ନାମ ରହିଥିବା ଜଣାପଡିବା ପରେ ଜୟଦେବଙ୍କ ସହିତ ତାଙ୍କ ସମର୍ଥକ ଓ ୱାର୍ଡବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ପ୍ରଶାସନ ପକ୍ଷରୁ ଜୟଦେବଙ୍କୁ ନ୍ୟାୟ ନ ମିଳିବାରୁ ଜୟଦେବଙ୍କ ସମେତ ୱାର୍ଡବାସୀ ବାଧ୍ୟ ହୋଇ ଶିଶୁଆ ପଂଚାୟତ ଅଫିସରେ ତାଲା ପକାଇ ସମ୍ମୁଖରେ ଧାରଣାରେ ବସିଥିଲେ । ଧାରଣା ଦେବା ସଂପର୍କରେ ୱାର୍ଡବାସୀ ଲିଖିତ ଭାବେ ରାଜ୍ୟ ନିର୍ବାଚନ କମିଶନ, ସାଲେପୁର ତହସିଲଦାର ସାଲେପୁର ଆଇ ଆଇ ସି ଓ ବିଡିଓଙ୍କୁ ଲିଖିତ ଭାବେ ଜଣାଇବା ସହ ଗଣତାନ୍ତ୍ରିକ ପଦ୍ଧତିରେ ଧାରଣା ଦେଇଥିଲେ । ଧାରଣାର ବହୁ ବିଳମ୍ବରେ ବିଡିଓ ପହଞ୍ôଚ ଧାରଣାକାରୀଙ୍କ ସହ ଆଲୋଚନା କରିବା ସହ ଘଟଣା ଏବେ କୋର୍ଟର ବିଚାରାଧିନ ଥିବାରୁ କିଛି କରିବାର ନାହିଁ କହିବା ସହିତ କୋର୍ଟଙ୍କ ନିର୍ଦ୍ଦେଶରେ ସମସ୍ତ ସହଯୋଗ କରିବେ ବୋଲି ଲିଖିତ ଭାବେ ଧାରଣାକାରୀଙ୍କୁ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏହି ସମୟରେ ସାଲେପୁର ତହସିଲଦାର ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ , ଏସ୍ଡିପିଓ ବିମଳ ଲୋଚନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଧାରଣା ପ୍ରତ୍ୟାହୃତ ହେବାର ପ୍ରାୟ ୧୨ ଟା ପରେ ପ୍ରଶାସନ ପକ୍ଷରୁ ପଂଚାୟତ କାର୍ଯ୍ୟାଳୟ ଖୋଲାଯାଇ ନାଏବ ସରପଂଚ ନିର୍ବାଚନ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ସେଠାରେ ଉପସ୍ଥିତ ଥିବା ଗଣମାଧ୍ୟମର ପ୍ରତିନିଧି ଓ ୱାର୍ଡ ବାସୀ ବିଡିଓଙ୍କୁ ନାଏବ ସରପଂଚ ନିର୍ବାଚନର ସମୟ ଅବଧି ସଂପର୍କରେ ପ୍ରଶ୍ନ କରିବାରୁ ବିଡିଓ ଏହାକୁ ଏଡାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ବିଡିଓ ରାଜୀବ ଦାସ ନାଏବ ସରପଂଚ ନିର୍ବାଚନ ସ୍ଥଗିତ ରହିଲାବୋଲି ଜୟଦେବଙ୍କୁ ସୂଚନା ଦେଇଥିଲେ । କିନ୍ତୁ ଶିଶୁଆ ପଂଚାୟତର ନବ ନିର୍ବାଚିତ ସରପଂଚ ପ୍ରତିମା ସାହୁ ଆଜି ଶପଥପାଠ କରିବା ସହିତ ଦାୟିତ୍ୱ ଗ୍ରହଣ କରିଥିବା ସଂପର୍କରେ ନବ ନିର୍ବାଚିତ ବହୁ ୱାର୍ଡସଭ୍ୟସଭ୍ୟା ଉପସ୍ଥିତ ଥିଲେ ।