ନୂଆଦିଲ୍ଲୀ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଜାତୀୟ ଯୁବା ସଂସଦ ଉତ୍ସବ (ଏନ୍ୱାଇପିଏଫ) ୨୦୨୦ର ଜାତୀୟ ରାଉଣ୍ଡର ତୃତୀୟ ସଂସ୍କରଣକୁ ଉଦ୍ଘାଟନୀ ଅଧିବେଶନରେ ନୂଆଦିଲ୍ଲୀସ୍ଥିତ ସଂସଦର କେନ୍ଦ୍ରୀୟ କକ୍ଷରେ ଉଦ୍ବୋଧନ ଦେଇଛନ୍ତି । କ୍ରୀଡା ଓ ଯୁବବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପରମାଣିକ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ଏହାଛଡା ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ସଚିବ ଶ୍ରୀମତୀ ସୁଜାତା ଚତୁର୍ବେଦୀ, ରାଜ୍ୟସଭା ମହାସଚିବ ଶ୍ରୀ ପି.ସି ମୋଦୀ, ମନ୍ତ୍ରଣାଳୟ ଓ ସଂସଦର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିରଳା ୧୧ ମାର୍ଚ୍ଚ ୨୦୨୨ଦିନ ଏନୱାଇପିଏଫର ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେବେ । ଏଥିରେ ଲୋକସଭା ବାଚସ୍ପତିଙ୍କ ସମ୍ମୁଖରେ ପ୍ରଥମ ତିନିଜଣ ଜାତୀୟ ବିଜେତା ମଧ୍ୟ କିଛି କହିବା ପାଇଁ ସୁଯୋଗ ପାଇବେ ।
ନିଜର ଅଭିଭାଷଣରେ ଶ୍ରୀ ଅନୁରାଗ ଠାକୁର କହିଥିଲେ ଯେ ଚଳିତବର୍ଷର ଜାତୀୟ ଯୁବା ସଂସଦ ଉତ୍ସବର ବାର୍ତ୍ତା ହେଉଛି “ନବ ଭାରତର ସ୍ୱର ହୋଇ ସମାଧାନ ପନ୍ଥା ବାହାର କର ଓ ନୀତିରେ ଭାଗିଦାର ହୁଅ ।” କଠିନ ବର୍ଜ୍ୟବସ୍ତୁ ପରିଚାଳନା, କ୍ଷୁଧା ନିବାରଣ, ଲିଙ୍ଗଗତ ସମାନତା, କମ୍ ବ୍ୟୟ ସାପେକ୍ଷ ସ୍ୱଚ୍ଛଶକ୍ତି, ସ୍ୱଚ୍ଛ ଜଳ ଓ ପରିମଳ ଉପରେ ଧ୍ୟାନ ଦେବାକୁ ମୁଁ ସମସ୍ତଙ୍କୁ ନିବେଦନ କରୁଛି । ଆମେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କଲାବେଳେ ଆପଣମାନେ ଆମେ ହାସଲ କରିଥିବା ପ୍ରଗତି ଉପରେ ତର୍ଜମା କରି ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କଲାବେଳେ ବିଭିନ୍ନ ସମସ୍ୟାର ସମାଧାନ ବାହାର କରିବାକୁ ମୁଁ ନିବେଦନ କରୁଛି । ଯୁବ ସମାଜ କ୍ରୀଡା, ସ୍ୱାସ୍ଥ୍ୟ, ଗଣମାଧ୍ୟମ, ପରିବହନ, ଭିତ୍ତିଭୂମି, ବୈଦେଶିକ ବ୍ୟାପାର ଇତ୍ୟାଦି କ୍ଷେତ୍ରରେ କ’ଣ କରିପାରିବେ ଯାହା ଫଳରେ କୋଟି କୋଟି ଦେଶବାସୀଙ୍କ ଜୀବନରେ ପରିବର୍ତ୍ତନ ଆସିବ ବୋଲି ସେ ପ୍ରଶ୍ନ କରିଥିଲେ । ମାନବତାର ଭବିଷ୍ୟତ ଓ ବଂଚିବାକୁ ସୁଗମ କରିବା ପାଇଁ ଏକ ବିଲିୟନ ଜନତା କ’ଣ ଦେଇପାରିବେ ।
ଶ୍ରୀ ଠାକୁର ଆହୁରି କହିଥିଲେ ଯେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶକୁ ଆଗେଇ ନେଇ ଜାତୀୟ ଯୁବା ସଂସଦ ଯୁବଗୋଷ୍ଠୀ ମଧ୍ୟରେ ନେତୃତ୍ୱ ଗୁଣ ବିକାଶ କରିବାରେ ମୁଖ୍ୟ ଭୂମିକା ନେଇଛନ୍ତି । ଯୁବଗୋଷ୍ଠୀ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ମନ୍ତ୍ରୀ ନିବେଦନ କରିଥିଲେ ।
ଆତ୍ମନିର୍ଭର ଭାରତ ସମ୍ପର୍କରେ ଶ୍ରୀ ଠାକୁର କହିଥିଲେ ଯେ ଯେତେବେଳେ ସମଗ୍ର ବିଶ୍ୱ ବୈଶ୍ୱିକ ମହାମାରୀ କାଳରେ ସଂଗ୍ରାମ କରୁଥିଲା, ଭାରତ ଏହାର ମୁକାବିଲା ମିଳିତଭାବେ କରିପାରିଲା । ଆମେ ବିଶ୍ୱକୁ ଦେଖାଇ ଦେଲୁ ଯେ ସଠିକ ଦୂରଦୃଷ୍ଟି ଓ ନେତୃତ୍ୱ ବଳରେ ଆମେ ଯେକୌଣସି ପ୍ରତିବନ୍ଧକର ସାମ୍ନା କରିପାରିବୁ । ଯୁବଗୋଷ୍ଠୀ ଉତ୍ସାହ ଜାଗ୍ରତ କରି ଏକାତ୍ମ ଭାବନା ସହ ଅନେକ ବିସ୍ମୟକର କାର୍ଯ୍ୟ କରିପାରିବୁ।
ମନ୍ତ୍ରୀ ପୁଣି ଦୋହରାଇଲେ ଯେ ଯୁବଗୋଷ୍ଠୀର ଉତ୍ସାହ ଓ ଅଂଶଗ୍ରହଣ ବଳରେ ଏକ ଦେଶର ଭିତ୍ତିପ୍ରସ୍ତର ସ୍ଥାପିତ ହୁଏ । ଯୁବଗୋଷ୍ଠୀ ହିଁ ଆମ ଦେଶକୁ ଏକ ନୂତନ ଶିଖରକୁ ନେଇପାରିବେ । ଯୁଗଗୋଷ୍ଠୀ ଦେଶର ବର୍ତ୍ତମାନ, ଅତୀତ ଓ ଭବିଷ୍ୟତର ସଂଯୋଗର ସେତୁ ସଦୃଶ ।
ଶ୍ରୀ ଠାକୁର ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସ୍କିଲ ଇଣ୍ଡିଆ, ଖୋଲୋ ଇଣ୍ଡିଆ ଏବଂ ଫିଟ୍ ଇଣ୍ଡିଆ ଭଳି ଅନେକ ଯୋଜନା କରିଛନ୍ତି । ଏହା କେବଳ କୋଟି କୋଟି ଯୁବକ ଯୁବତୀଙ୍କୁ କୌଶଳ ବିକାଶ ଦେଇନାହିଁ, ବରଂ ଏକ ମଜବୁତ ଭାରତର ଭିତ୍ତିଭୂମି ସ୍ଥାପନ କହୁଛି । କେନ୍ଦ୍ରମନ୍ତ୍ରୀ ଯୁବ ସଂସଦର ବିଭିନ୍ନ ରାଉଣ୍ଡରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପ୍ରଶଂସା କରିବା ସହ ଜାତୀୟ ଯୁବା ସଂସଦ ଉତ୍ସବ -୨୦୨୨ ଫାଇନାଲକୁ ଉତ୍ତୀର୍ଣ୍ଣ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଶ୍ରୀମତୀ ସୁଜାତା ଚତୁର୍ବେଦୀ କହିଥିଲେ ଯେ ଜାତୀୟ ଯୁବ ସଂସଦର ଲକ୍ଷ୍ୟ ହେଉଛି ଯୁବଗୋଷ୍ଠୀଙ୍କୁ ସେମାନଙ୍କ ମତାମତ ପ୍ରଦାନ ପାଇଁ ଏକ ମଂଚ ପ୍ରଦାନ କରିବା । ଏହାଛଡା ଏହି ମତ ବିନିମୟ ମଞ୍ଚରେ ସେମାନେ ଗଣତାନ୍ତ୍ରିକ ମୂଲ୍ୟବୋଧ ଉତ୍ସାହ ଜାଗ୍ରତ କରିପାରିବେ ।
ଜାତୀୟ ଯୁବା ସଂସଦର ଉତ୍ସବ (ଏନୱାଇପିଏଫ) ଯୁବଗୋଷ୍ଠୀର ସ୍ୱର ଶୁଣିବାକୁ ଆୟୋଜିତ ହୋଇଥାଏ, ଯେଉଁମାନେ ସରକାରୀ ଚାକିରି ସମେତ ଅନ୍ୟାନ୍ୟ ବୃତ୍ତି ଗ୍ରହଣ ମଧ୍ୟ କରିପାରିବେ । ପ୍ରଧାନମନ୍ତ୍ରୀ ୩୧ଡିସେମ୍ବର ୨୦୧୭ରେ ତାଙ୍କର ମନ୍ କି ବାତ୍ ଅଭିଭାଷଣରେ ଏନ୍ୱାଇପିଏଫର ଏହି ଧାରଣା ଦେଇଥିଲେ । ତାଙ୍କ କଥାରେ ଉତ୍ସାହିତ ହୋଇ ଜାନୁୟାରୀ ୧୨ରୁ ୨୭ ଫେବୃୟାରୀ ୨୦୧୯ ମଧ୍ୟରେ ଏନୱାଇପିଏଫ ଆୟୋଜିତ ହୋଇଥିଲା । ଏହାର ବିଷୟବସ୍ତୁ ଥିଲା “ନବ ଭାରତର ସ୍ୱର ହୋଇ ସମାଧାନ ବାହାର କର ଓ ନୀତିରେ ନିଜର ଅବଦାନ ଦିଅ ।” ଏହି କାର୍ଯ୍ୟକ୍ରମରେ ୮୮ହଜାର ଯୁବକଯୁବତୀ ଅଂଶଗ୍ରହଣ କରିଥିଲେ ।
ଏନୱାଇପିଏଫ ଦ୍ୱିତୀୟ ସଂସ୍କରଣ ୨୨ ଡିସେମ୍ବର ୨୦୨୦ରୁ ୧୨ଜାନୁୟାରୀ ୨୦୨୨ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହାର ବିଷୟବସ୍ତୁ ଥିଲା “ଯୁବା …ଉତ୍ସାହ ନୟେ ଭାରତ କା ।” ଭର୍ଚୁଆଲ ମୋଡରେ ଆୟୋଜିତ ହୋଇଥିଲେ ମଧ୍ୟ ଦେଶବ୍ୟାପୀ ଜିଲ୍ଳା, ରାଜ୍ୟ ଓ ଜାତୀୟସ୍ତରରେ ୨୫ଲକ୍ଷ ଯୁବକଯୁବତୀ ଏଥିରେ ଅଂଶଗ୍ରହଣ କରିଥିଲେ ।
ଏନୱାଇପିଏଫ ତୃତୀୟ ସଂସ୍କରଣ ଭର୍ଚୁଆଲ ମୋଡରେ ୧୪ଫେବୃୟାରୀ ୨୦୨୨ଠାରୁ ଆରମ୍ଭ ହୋଇଛି । ଏଥିରେ ୨.୪୪ ଲକ୍ଷ ଯୁବକଯୁବତୀ ଦେଶର ବିଭିନ୍ନ ସ୍ଥାନରୁ ଯୋଗ ଦେଇଛନ୍ତି । ରାଜ୍ୟ ଯୁବ ସଂସଦର ଭର୍ଚୁଆଲ ମୋଡରେ ୨୩-୨୭ ଫେବୃୟାରୀ ୨୦୨୨ ମଧ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୮୭ଜଣ (୬୨ ମହିଳା ଓ ୨୫ପୁରୁଷ) ବିଜେତା ସଂସଦର କେନ୍ଦ୍ରୀୟ କକ୍ଷରେ କେନ୍ଦ୍ର ଯୁବବ୍ୟାପାର ଓ କ୍ରୀଡା ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ଅତିଥିଙ୍କ ଗହଣରେ ବସିବାର ସୁଯୋଗ ପାଇଥିଲେ । ୨୯ଜଣ ରାଜ୍ୟ ଯୁବା ସଂସଦ ବିଜେତା ଲୋକସଭା ସଦସ୍ୟ ଶ୍ରୀ ଭର୍ତ୍ତୃହରି ମହତାବ, ଡକ୍ଟର ସତ୍ୟପାଲ ସିଂ, ଅବସରପ୍ରାପ୍ତ ଆଇଆରଏସ୍ ଅନୁ ଜେ ସିଂହ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶ ଦାତା ଶ୍ରୀ କାଞ୍ଚନ ଗୁପ୍ତାକୁ ନେଇ ଗଠିତ ବିଚାରକମଣ୍ଡଳୀ ସହ କଥାବାର୍ତ୍ତା କରିବାର ସୁଯୋଗ ପାଇବେ । ଶ୍ରେଷ୍ଠ ତିନିଜଣ ଜାତୀୟ ବିଜେତା ମାର୍ଚ୍ଚ ୧୧ତାରିଖର ସମାବର୍ତ୍ତନ ଉତ୍ସବରେ ଲୋକସଭା ବାଚସ୍ପତିଙ୍କ ସହ କଥାବାର୍ତ୍ତାର ସୁଯୋଗ ପାଇବେ । ତିନିଜଣ ଚୂଡାନ୍ତ ଜାତୀୟସ୍ତର ପ୍ରତିଯୋଗୀକୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯିବ । ପୁରସ୍କାର ରାଶି ଯଥାକ୍ରମେ ୨ଲକ୍ଷ, ୧, ୫୦,୦୦୦ ଓ ୧ଲକ୍ଷ ଟଙ୍କା ଥିବାବେଳେ ୫୦ହଜାର ଟଙ୍କା ଲେଖାଏଁ ଦୁଇଟି ସାନ୍ତ୍ୱନାମୂଳକ ପୁରସ୍କାର ମଧ୍ୟ ପ୍ରଧାନ କରାଯିବାର ସମ୍ଭାବନା ରହିଛି ।