କେନ୍ଦ୍ରାପଡ଼ା – ସରକାରୀ ଦର୍ଠାରୁ ଚଢା ଦର୍ରେ ବିକିଲେ ଲାଭଖୋର୍ ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଚେତାବନି ଦେଇଛନ୍ତି । ଆଳୁ, ପିଆଜ ଓ ଡାଲି ପ୍ରଭୃତି ନିତ୍ୟ ବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀର ଦର୍ ଦିନକୁ ଦିନ ବଢିଚାଲିଥିବାବେଳେ ଜିଲ୍ଲା ବେସାମରିକ ଯୋଗାଣ ବିଭାଗ ଏହାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରୀୟ ହୋଇଉଠିଥିବା ଦେଖାଦେଇଛି । ଲାଭଖୋର୍ ବ୍ୟବସାୟୀମାନେ ଏହି ଖାଉଟି ଦ୍ରବ୍ୟକୁ ଲୁଚାଇ ଗଚ୍ଛିତ କରିବା ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଜନସାଧାରଣଙ୍କୁ ଲୁଟିବା ଆଶଙ୍କା ଥିବାରୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସଚେତନ ହୋଇପଡିଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରାପଡା ସହରର ତଥା ଜିଲ୍ଲାର ଅନ୍ୟ ଅଂଚଳରେ ଥିବା ହୋଲ୍ସେଲ୍ର ବ୍ୟବସାୟୀ ମାନଙ୍କ ଦୋକାନ ଏବଂ ଗୋଦାମ ଘରକୁ ତଦାରଖ କରାଯାଇଛି । ଏହି କ୍ରମରେ ବୁଧବାର ସହରର ତିନିମୁହାଣୀ, ପୁରୁଣା ବସ୍ଷ୍ଟାଣ୍ଡ, ନୂଆବସଷ୍ଟାଣ୍ଡ, ସାନ୍ତସାହି, ଗୋପ ପ୍ରଭୃତି ଅଂଚଳରେ ଥିବା ଆଳୁ ଗୋଦାମ ଓ ତେଜରାତି ଦୋକାନ ଉପରେ ଚଢାଉ କରି ଗଚ୍ଛିତ ସାମଗ୍ରୀ ଓ ମୂଲ୍ୟ ବିଷୟରେ ପଚାରି ବୁଝିବା ସହ ଚଢାଦର୍ରେ ବିର୍କ୍ରୟ ନ କରିବାକୁ କିମ୍ବା କୃତ୍ରିମ ଅଭାବ ସୃଷ୍ଟି ନକରିବାକୁ ବ୍ୟବସାୟୀମାନଙ୍କ ତାଗିଦା କରାଯାଇଛି । ଏହି ଅତ୍ୟାବଶକୀୟ ସାମଗ୍ରୀକୁ ଲୁଚାଇରଖି ଚଢା ଦର୍ରେ ବିକ୍ରି କରାଯାଉଥିବା ଜଣାପଡିଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ତାଗିଦା କରିଛନ୍ତି । ପ୍ରଶାସନ ପକ୍ଷରୁ ନିମ୍ନଲିଖିତ ଦର ତାଲିକା ବ୍ୟବସାୟୀମାନଙ୍କୁ ଜଣାଇ ଦିଆଯାଇଛି । ଆଳୁ କିଲୋ ପିଛା ୧୮ -୨୦ ଟଙ୍କା, ପିଆଜ ୫୫ – ୬୦ ଟଙ୍କା, ହରଡ ଓ ମୁଗ ଡାଲି ୮୦-୯୦ ଟଙ୍କା, ବୁଟ ୬୫-୭୦ ଟଙ୍କା, ଚିନି -୪୦ ଟଙ୍କା, ଗୁଡ ୪୦ ଟଙ୍କା କିଲୋ ପିଛା ଦର୍ରେ ବିକ୍ରି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ଚଢାଉରେ ଜିଲ୍ଲା ଯୋଗାଣ ଅଧିକାରୀ ରଂଜନୀକାନ୍ତ ଦାସ, ଏସିଏସ୍ଓ ରଶ୍ମିତା ସାହୁ ଓ ଏମ୍.ଆଇ (ଡେରାବିଶ) ମଧୁସ୍ମିତା ଜେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Related Stories
November 29, 2024