
ଧର୍ମଶାଳା, ଆଧ୍ୟତ୍ମିକ ଚେତନାକୁ ସୁସ୍ୱାଗତ ଜଣାଇ ଓ ମଠ ମନ୍ଦିରର କର୍ତବ୍ୟ ନିଷ୍ଠାକୁ ଉଦଯିବିତ କରିବା ଉଦ୍ଦେଶ୍ୟରେ ମଠ ମନ୍ଦିର ଗଢିଉଠୁଛି । ଏହି ଅବସରରେ ଯାଜପୁର ଜିଲା ଧର୍ମଶାଳା ବ୍ଳକ ଦେଓଦା ପଂଚାୟତସ୍ଥ ଦେଓଦାଠାରେ ବଳଦେବଜୀଉଙ୍କ ଭବ୍ୟ ମନ୍ଦିର ଓ ଶ୍ରୀ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଧ୍ୟତ୍ମିକ ଓ ଧର୍ମୀୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ପ୍ରଥମ ବିଦସରେ ଅଙ୍କୁରାରୋପଣ ଓ କଳସାଧିବାସ ଅନୁଷ୍ଠିତ ହୋଇଥିଲା । ୨ୟ ଦିବସରେ ସୂର୍ଯ୍ୟପୂଜା ଗୋ ପୂଜା ସହ ଶ୍ରୀ ଜୀଉଙ୍କ ସ୍ନାନ ଓ ଶୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷ ଦିବସରେ ପ୍ରାଣ ପ୍ରତିଷ୍ଠା,ମନ୍ଦିର ପ୍ରତିଷ୍ଠା ଓ ନଗର ପରିକ୍ରମା କରାଯାଇଥିଲା । ଅପରାହ୍ନରେ ଭନ୍ଦିର ଭିତରକୁ ଶ୍ରୀ ଜୀଉ ପ୍ରବେଶ କରିଥିଲେ । ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଶ୍ରୀ ଜୀଉଙ୍କ ଦର୍ଶନ କରିଥିଲେ । ସନ୍ଧ୍ୟାରେ ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭକ୍ତମାନେ ଯୋଗ ଦେଇ ଯଜ୍ଞକୁଣ୍ଡରେ ପୂର୍ଣ୍ଣାହୂତି ଦେଇଥିଲେ । ଗାଁ ଦାଣ୍ଡ ଘଂଟ ଘଂଟା,ହରିବୋଲ ହୁଳହୁଳିରେ ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଥିଲା । ପ୍ରବଚକ ନାଉଗାଁସ୍ଥିତ ବାବା ସତ୍ୟାନନ୍ଦ ଦାସଜୀ ମହାରାଜ,ଗୋଠଦା ମଠ ବାବା ଚିନ୍ତାମଣି ପର୍ବତ ଜୀ ମହାରାଜ ଓ ପୁରୀ ଶ୍ରୀମନ୍ଦିରର ବଡପଣ୍ଡା ଯୋଗ ଦେଇ ପ୍ରବଚନ ଦେଇଥିଲେ । ପଣ୍ଡିତ ବିଜୟ କରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ବହୁ ପଣ୍ଡିତ ଯୋଗ ଦେଇ ଯଜ୍ଞକର୍ମରେ ସହଯୋଗ କରିଥିଲେ । ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ସଫଳ ହୋଇଥିବାରୁ ଆୟୋଜକ କୃଷ୍ଣ ବାବା ଓ ମନ୍ଦିର ପରିଚାଳନା କମିଟି ଓ ଗ୍ରାମବାସୀ ସହଯୋଗ କରିବା ସହ ଭକ୍ତମାନଙ୍କୁ ଆଶିଷ କାମନା କରିଛନ୍ତି ।