-
ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ , ୨ ଗିରଫ
ଭୁବନେଶ୍ୱର,କଟକ ବିଡାନାସୀ ଭୁଆଶୁଣି ପଠାରୁ ଜଣେ ଯୁବକଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାସ ହୋଇଛି । ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ ଘଟିଥିବା କଟକ ଡିସିପି ପ୍ରତୀକ ସିଂ ପ୍ରେସ୍ ମିଟ୍ ଜରିଆରେ ସୂଚନା ଦେଇଛନ୍ତି । ଏହି ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଅଛି ।
ଡିସିପିଙ୍କ ସୂଚନା ଅନୁଯାୟୀ ବିହାରର ଯୁବକ ଆଜାଦ ଯାଦବ ଭୁବନେଶ୍ୱରରୁ ନିଖୋଜ ହେବା ପରେ ଗତ ୩ ତାରିଖରେ ଭୁଆଶୁଣି ପଠାରୁ ତାଙ୍କ ଶବ ମିଳିଥିଲା । ପରକିୟା ପ୍ରୀତି ଯୋଗୁ ଘଟିଥିଲା ଏହି ହତ୍ୟାକାଣ୍ଡ । ଏମିତିକି ଆଜାଦ ଯାଦବଙ୍କୁ ହତ୍ୟା ପାଇଁ ୨୦ ହଜାର ଟଙ୍କା ଦିଆଯାଇଥିଲା । ଏବେ ଘଟଣାର ତଦନ୍ତ ଆରମ୍ଭ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ବିଡାନାସୀ ପୋଲିସ ।୨ ଅଭିଯୁକ୍ତ ହେଲେ ମୁନିଲାଲ୍ ଶର୍ମା ଏବଂ କୈଳାସ ଚୌଧୁରୀ । ଗିରଫ ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କରିଛି ପୋଲିସ । ଅନ୍ୟ ଜଣେ ଅନ୍ୟ ଜଣେ ଅଭିଯୁକ୍ତ ପଙ୍କଜ ଶର୍ମା ଏବେବି ଫେରାର୍ ଅଛି । ତାକୁ ଧରିବା ପାଇଁ କମିଶନ୍ରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି ।
ଫେରାର୍ ଅଭିଯୁକ୍ତ ପଙ୍କଜଙ୍କ ପତ୍ନୀଙ୍କ ସହ ମୃତକ ଆଜାଦଙ୍କର ପ୍ରେମ ସମ୍ପର୍କ ରହିଥିଲା । ଏହି ଘଟଣାରୁ ପଙ୍କଜ ପ୍ରତିଶୋଧ ପରାୟଣ ହୋଇ ପଙ୍କଜଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା । ଏଥିପାଇଁ ସେ ଅଭିଯୁକ୍ତ ମୁନିଲାଲ୍ କୁ ୨୦ ହଜାର ଟଙ୍କା ଦେଇଥିଲା । ଯୋଜନା ମୁତାବକ ଟଙ୍କା ଦେବା ପାଇଁ ଫେବ୍ରୁଆରୀ ୨୫ ତାରିଖରେ ଆଜାଦକୁ ମୁନିଲାଲ ଶର୍ମା କଟକ ଡାକିଥିଲେ । ବିଡ଼ାନାସୀ ନଦୀ ବନ୍ଧରେ ଉଭୟ ମିଶି ମଦ ପିଇଥିଲେ । ନିଶାସକ୍ତ ଅବସ୍ଥାରେ ବିଅର ବୋତଲରେ ଆଜାଦଙ୍କୁ ଆକ୍ରମଣ କରିଥିଲେ ମୁନିଲାଲ । ରକ୍ତାକ୍ତ ଅବସ୍ଥାରେ ଜୀବନ ବିକଳରେ ଧାଇଁଲେ ଆଜାଦ । ଆଉ ତାଙ୍କୁ ପିଛା କରି ପଥରରେ ଛେଚି ହତ୍ୟା କରିଥିଲେ । ଆଜାଦକୁ ହତ୍ୟା କରିବା ପରେ ମୁନିଲାଲ ତାଙ୍କ ସାଙ୍ଗ କୈଳାଶକୁ ଡାକିଥିଲେ । କୈଳାଶ ଆସିବା ପରେ ଉଭୟ ଭୁବନେଶ୍ୱର ପଳାଇ ଯାଇଥିଲେ ।
ମାର୍ଚ୍ଚ ୩ ତାରିଖରେ କଟକ କମିଶନରେଟ୍ ପୋଲିସ ବିଡାନାସୀ ଭୁଆଷୁଣୀ ପଠାରୁ ଗଳିତ ମୃତଦେହ ଜବତ କରିଥିଲା । ଖୋଳତାଡ୍ ପରେ ମୃତ ଯୁବକ ଆଜାଦ ଯାଦବ ବୋଲି ଜଣାପଡ଼ିଥିଲା । ଏଥିରେ ମୁନିଲାଲଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରୁଥିଲା । ମୁନିଲାଲ ମଧ୍ୟ ଫେରାର ଥିଲା । ଆଜି ମୁନିଲାଲ କଟକ ବାଦାମବାଡ଼ି ବସ୍ ଷ୍ଟାଣ୍ଡ ଅଂଚଳରେ ବୁଲୁଥିବା ଜାଣି ପୋଲିସ୍ ସେଠାରୁ ଗିରଫ କରିଛି । ଗିରଫ ପରେ ମୁନିଲାଲ ଆଜାଦକୁ ହତ୍ୟା କରିଥିବା ସ୍ୱୀକାର କରିଛି । ତାଙ୍କ ବୟାନ ଆଧାରରେ ପୋଲିସ କୈଳାଶକୁ ଗିରଫ କରିଛି । ଏବେ ମଧ୍ୟ ପଙ୍କଜ ଫେରାର ଅଛି । ତାକୁ ଗିରଫ କରିବା ପାଇଁ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି ବୋଲି କଟକ ଡିସିପି ପ୍ରତୀକ ସିଂହ କହିଛନ୍ତି ।