-
ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ
ଗଞ୍ଜାମ, ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗର ବିଦ୍ୟୁତ ବିଭାଗରେ କାର୍ଯ୍ୟନର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଜଗନ୍ନାଥ ସେଠୀଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଆଜି ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ କରାଯାଇଛି । ପ୍ରଥମେ ସେ ଭିଜିଲାନ୍ସ ଅଧିକାରୀ ମାନଙ୍କୁ ତାଙ୍କ ଘର ଭିତରେ ପ୍ରବେଶ କରିବାରେ ବାଧା ସୃଷ୍ଟି କରିଥିଲେ । ଏବଂ ସର୍ଚ୍ଚ ୱାଂରେଟ ଦେଖାଇବା ସତ୍ୱେ ମଧ୍ୟ ସେ କବାଟ ଖୋଲି ନଥିଲେ । ଏହାପରେ ଭିଜିଲାନ୍ସ ଅଧିକାରୀ ମାନେ କବାଟ ଭାଙ୍ଗି ଘରେ ପ୍ରବେଶ କରିଥିଲେ । ଜଗନ୍ନାଥଙ୍କ ଗଜପତି ନଗର ସ୍ଥିତ ବାସଭବନରୁ ତାଙ୍କ ଶେଜ ଗଦି ଭିତରୁ ନଗଦ ୧୬ ଲକ୍ଷ ୭୦ ହଜାର ଟଙ୍କା ଜବତ କରାଯାଇଛି । ଏତଦ୍ ବ୍ୟତୀତ ତାଙ୍କର ଗଜପତି ନଗରରେ ଥିବା ଦୁଇଟି କୋଠା (ଏକ ୪ ମହଲା ବିଶିଷ୍ଟ, ୫ ମହଲା ବିଶିଷ୍ଟ), ଭୁବନେଶ୍ୱର ଏଆଇଆଇଏମଏସ ନଗର ସ୍ଥିତ ୪ ମହଲା କୋଠା ଏବଂ ଛତ୍ରପୁର ପୁଟବଗଡ଼ ସ୍ଥିତ ୪ ମହଲା ବିଶିଷ୍ଟ ପୈତୃକ ଘରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଜାରୀ ରହିଛି । ଏହି ଚଢ଼ଉରେ ଭିଜିଲାନ୍ସ ଅତିରିକ୍ତ ଏସପିଙ୍କ ସହ ୪ ଜଣ ଡିଏସପି ଓ ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ଷ୍ଟାଫ୍ ସାମିଲ୍ ହୋଇଛନ୍ତି । ଭିଜିଲାନ୍ସ ସ୍ପେଶାଲ ଜଜ୍ ବ୍ରହ୍ମପୁରଙ୍କ ନିର୍ଦ୍ଦେଶ କ୍ରମେ ଏହି ଚଢ଼ଉ କରାଯାଇଛି । ଚଢ଼ଉ ଜାରୀ ରହିଥିବାରୁ ଏନେଇ ସବିଶେଷ ତଥ୍ୟ ମିଳିପାରିନାହିଁ ।