-
୩୦ରେ ଉପସ୍ଥାପନ ହେବ ବଜେଟ
ଭୁବନେଶ୍ୱର, ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆଗାମୀ ୨୫ ତାରିଖରୁ ଆରମ୍ଭ ହୋଇ ୩୧ ଯାଏ ଚାଲିବ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ମାର୍ଚ୍ଚ ୨୫ ତାରିଖ ଦିନ ରାଜ୍ୟପାଳ ନିଜର ଅଭିଭାଷଣ ରଖିବେ । ଏହାପରେ ୨୬ ଓ ୨୮ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା କରାଯିବ ।
ମାର୍ଚ୍ଚ ୩୦ ତାରିଖରେ ବିଧାନସଭାରେ ବଜେଟ ଉପସ୍ଥାପିତ ହେବ । ୨୦୨୨-୨୩ ଆର୍ôଥକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବଜେଟ ଉପସ୍ଥାପନ କରିବେ । ୩୧ ତାରିଖରେ ବ୍ୟୟ ମଞ୍ଜୁରି ବିଲ୍ ପାରିତ ହେବ । ଏଥର ବଜେଟ ଅଧିବେଶନରେ ମୋଟ ଛଅଟି କାର୍ଯ୍ୟଦିବସ ରହିବ ।
ତେବେ ଏହି ବଜେଟ ଅଧିବେଶନରେ କୋଭିଡ କଟକଣା ରହିବ କି ନା ସେନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ କରିବେ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସହ ପରାମର୍ଶ ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ କିଛି ଦିନ ତଳେ ବିଧାନସଭା ବଜେଟ ଅଧିବେଶନ ସଂପର୍କରେ ସୂଚନା ଦେଇ ବାଚସ୍ପତି କହିଥିଲେ, ମାର୍ଚ୍ଚ ୩୧ ତାରଖରୁ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ଆସିବା ପରେ ବିଧିବଦ୍ଧ ତାରିଖ ଘୋଷଣା ହେବ ବୋଲି ସେ କହିଥିଲେ ।