
ପୁରୀ, ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ବଡ଼ମହାସ୍ନାନ କରାଯାଇଛି । ଏଥିପାଇଁ ମହାପ୍ରଭୁଙ୍କ ନୀତିରେ ଏକ ଘଣ୍ଟା ବିଳମ୍ବ ଘଟିଛି । କୌଣସି ଏକ ଭକ୍ତ ମନ୍ଦିର ଭିତରେ ବାନ୍ତି କରିଦେଇଥିଲେ । ଏହାକୁ ସେବାୟତ ମାନେ ଦେଖିବାରୁ ଗାରଦରେ ଖବର ଦେଇଥିଲେ । ଯାହାଫଳରେ ମହାପ୍ରଭୁଙ୍କ ବଡ଼ମହାସ୍ନାନ କରାଯାଇଥିଲା । ମହାପ୍ରଭୁଙ୍କ ଅବକାଶ ନୀତି ପରେ ମଇଲମ ନୀତି କାର୍ଯ୍ୟ ଚାଲୁ ରହିଥିଲା । ଏହି ସମୟରେ ଭଣ୍ଡାର ଘର ନିକଟରେ ଜଣେ ଭକ୍ତ ବାନ୍ତି କରିଥିବା ଦୃଷ୍ଟିଗୋଚର ହୋଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ଗତକାଲି ଶ୍ରୀମନ୍ଦିରରେ ରକ୍ତ ଛିଟା ପଡିଥିଲା । ଅବକାଶ ପୂଜା ପରେ ଭିତର କାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ରକ୍ତଛିଟା ଦେଖାଯିବା ପରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା । ଫଳରେ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ନୀତିକାନ୍ତିରେ ବିଳମ୍ବ ହୋଇଥିଲା । ସାଧାରଣ ଦର୍ଶନ ବନ୍ଦ ରହିଥିବାରୁ ବଡ଼ଦାଣ୍ଡରେ ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା। ତେବେ ମହାସ୍ନାନ ନୀତି ସମ୍ପୂର୍ଣ୍ଣ ହେବା ପରେ ପୁଣି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଛଡ଼ାଯାଇଥିଲା । ବାରମ୍ବାର ଏଭଳି ଘଟଣା ଦେଖି ଜଗନ୍ନାଥପ୍ରେମୀ କହିଛନ୍ତି ଯେ, ଆଗକୁ ଗୋଟେ କିଛି ବଡ ଅଘଟଣ ଘଟିବାର ଆଶଙ୍କା କରାଯାଉଛି ।