ଭୁବନେଶ୍ୱର , ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଏବଂ ସହଯୋଗୀ ଅନୁଷ୍ଠାନ ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ ଆନୁକୂଲ୍ୟରେ ଆନ୍ତର୍ଜାତିକ ମହିିଳା ଦିବସ ପାଳନ ଅବସରରେ ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ଶ୍ୟାମାମଣୀ ଦେବୀ, ପ୍ରଖ୍ୟାତ ସାହିତ୍ୟିକା ସରୋଜିନୀ ସାହୁ ଓ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ସୁଜତା ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି । ଏହି କାର୍ଯ୍ୟକ୍ରମ ପାତ୍ରପଡ଼ାସ୍ଥିତ ହୋଟେଲ ତାଜ୍ ବିବାନ୍ତରେ ଅନୁଷ୍ଠିତ ହୋଇଯାଇଛି ।
ମାନସିକ ସ୍ୱାସ୍ଥ୍ୟ, ନିଶା ମୁକ୍ତି ତଥା ନାରୀ ସଶକ୍ତୀକରଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପିପୁଲ୍ସ ଫୋରମ’ ଓ ପ୍ରାୟ ୨୦ ଲକ୍ଷ ଭାରତୀୟ ମହିଳାଙ୍କୁ ଆର୍ଥିକ ସାହାଯ୍ୟ କରି ଆସୁଥିବା ସହଯୋଗୀ ସଂସ୍ଥା ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ର ମିଳିତ ସହଯୋଗରେ ଅ।।ୟୋଜତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ ଓ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଦୀପ୍ତି ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ନପୂର୍ଣ୍ଣା ଫାଇନାନ୍ସର ନିର୍ଦ୍ଦେଶକ ଦିବ୍ୟଜ୍ୟୋତି ପଟ୍ଟନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ପରେ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉତ୍ସବରେ ଅନଷ୍ଠାନର ମୁଖ୍ୟ ବିତ୍ତ ଅଧିକାରୀ ସତ୍ୟଜିତ୍ ଦାସ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ଉପସ୍ଥିତ ଥିଲେ ।
ଦୁଇଟି ଅଧିବେଶନରେ ଆୟୋଜିତ ଏହି ଉତ୍ସବର ପ୍ରଥମ ଅଧିବେଶନରେ ମହିଳା ଉଦ୍ୟମୀଙ୍କ କୃତି ଆଧାରିତ ‘ନାରୀ ତୁ ଅନ୍ନପୂର୍ଣ୍ଣା’ ନାମକ ୧୨ ଅଧ୍ୟାୟ ବିଶିଷ୍ଟ ସାକ୍ଷାତକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଚଳିତବର୍ଷ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ପରିପ୍ରେକ୍ଷୀରେ ସମଗ୍ର ଭାରତବର୍ଷର ୭୫ଜଣ ପ୍ରେରଣାଦାୟୀ ଦିବଂଗତା ମହିଳାଙ୍କ ଜୀବନୀ ସମ୍ବଳିତ ଇଂରାଜୀ ପୁସ୍ତକ ‘ଅଗ୍ନିକା’ ମଧ୍ୟ ଏହି ଅବସରରେ ଉନ୍ମୋଚିତ ହୋଇଥିଲା ।
ଉତ୍ସବର ଅପରାହ୍ନ ଅଧିବେଶନରେ ଜାତୀୟ ଖ୍ୟାତିସମ୍ପନ୍ନ ଗାୟିକା କଶ୍ୟପ, ରମାଦେବୀ ମହିଳା ମହାବ୍ୟିାଳୟ କୁଳପତି ପ୍ରଫେସର ଡକ୍ଟର ପଦ୍ମଜା ମିଶ୍ର ଓ ଭାରତୀୟ ସେନାର ଅବସରପ୍ରାପ୍ତ ଲେଫ୍ଟନାଂଟ କର୍ଣ୍ଣେଲ ସୋନାଲି ରଥ ଅତିଥି ଭାବେ ଯୋଗ ଦେଇଥିଲେ । ଦ୍ୱିତୀୟ ଅଧିବେଶନରେ ଚିକିତ୍ସା, ପୋଲିସ୍ ଓ ଟ୍ରାଫିକ୍, ନୃତ୍ୟ, ଶିକ୍ଷା ଏବଂ ଓଡ଼ିଆ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶିଷ୍ଟ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଆ ସିନେ ତାରକା ପ୍ରିୟା ଚୌଧୁରୀ, ଏଲିନା ସାମନ୍ତରାୟ, ରିୟା ଦେ, ଶୀତଲ ପାତ୍ର, ପୁନମ ମିଶ୍ର ଏବଂ ମାଷ୍ଟର ସେଫ୍ ସିଜନ୍ ୬ରେ କୃତିତ୍ୱ ଅର୍ଜନ କରିଥିବା ସ୍ମୃତି ସିଂ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ଏହି ଅବସରରେ ଅନୁଷ୍ଠାନର ସହଯୋଗୀମାନଙ୍କ ଦ୍ୱାରା ଭାରତର ଅତୁଲ୍ୟ କାରିଗରୀ ହସ୍ତତନ୍ତ୍ର ଉତ୍ପାଦନ ସମ୍ବନ୍ଧିତ ଏକ ଫ୍ୟାଶନ ସୋ’ ଆୟୋଜିତ ହୋଇଥିଲା ।