ଭୁବନେଶ୍ୱର, ୧୫ କୋଟି ଠକେଇ ଅଭିଯୋଗରେ ଚିଟଫଣ୍ଡ ସଂସ୍ଥା ନିର୍ଦ୍ଦେଶକ ତପନ କୁମାର ସାମନ୍ତଙ୍କୁ କୋଲକାତାରୁ ଗିରଫ କରିଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ତପନଙ୍କୁ କ୍ରାଇମବ୍ରାଂଚ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ବାଲେଶ୍ୱର କୋର୍ଟରେ ହାଜର କରିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସୋରର ଶୁକଦେବ ହୋତା ମାସ୍ ଇନଫ୍ରା ରିଏଲିଟି ଲିମିଟେଡ ଓ ହ୍ୟୁମାନ୍ ୱେଲଫେଆର୍ କ୍ରେଡିଟ୍ ଏବଂ ଥ୍ରିଫ୍ଟ କୋ-ଅପରେଟିଭ୍ ସୋସାଇଟି ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ଅଧ୍ୟକ୍ଷ ପ୍ରତାପ କୁମାର ବିଶ୍ୱାଳଙ୍କ ସମେତ ଅନ୍ୟ ଛଅଜଣ ନିର୍ଦ୍ଦେଶକଙ୍କ ନାଁରେ ଲଖିତ ଭାବେ ଠକେଇ ଅଭିଯୋଗ କରିଥିଲେ । ଏହି ଛଅଜଣକଙ୍କ ମଧ୍ୟରେ ଅଭିଯୁକ୍ତ ତପନ କୁମାର ସାମନ୍ତ ବି ଥିଲେ । ଅଭିଯୋଗକାରୀ ଏବଂ ଅନ୍ୟାନ୍ୟ ଜମାକାରୀଙ୍କୁ ବିଭିନ୍ନ ସ୍କିମ୍ ଜରିଆରେ ଜମା ଉପରେ ଅଧିକ ସୁଧ ହାର ଫେରସ୍ତ କରିବାର ଆଳ ଦେଖାଇ କୋଟି କୋଟି ଟଙ୍କାରେ ଠକେଇ କରିଛନ୍ତି ବୋଲି ନିଜ ଅଭିଯୋଗରେ ଦର୍ଶାଇଥିଲେ ଶୁକଦେବ ହୋତା ।
ପୂର୍ବରୁ ପ୍ରତାପ କୁମାର ବିଶ୍ୱାଳଙ୍କୁ ଗତବର୍ଷ ଜୁଲାଇ ୨୧ ତାରିଖରେ ଗିରଫ କରାଯାଇଥିଲା । ଏହି କମ୍ପାନି ପ୍ରାୟ ୧୫ କୋଟି ଟଙ୍କାର ଠକେଇ କରିଛି । କୋଲକାତା ଭିତିକ ଏହି ଚିଟଫଣ୍ଡ କମ୍ପାନିର ଏକାଧିକ ନିର୍ଦ୍ଦେଶକ ଏବେ ବି ଫେରାର ଅଛନ୍ତି ।