ସାଲେପୁର, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧ୍ୟକ୍ଷା ପଦକୁ ନେଇ ଜୋରଦାର୍ ଚର୍ଚ୍ଚା ଚାଲିଛି । ଏହି ପଂଚାୟତ ସମିତିରେ ଅଧ୍ୟକ୍ଷ ପଦବୀ କାହା ହାତକୁ ଯିବ, କିଏ ମୁଣ୍ଡରେ ମୁକୁଟ ପିନ୍ଧିବେ ତାକୁ ନେଇ ରାଜନୈତିକ ମହଲରେ ଜୋର୍ ଚର୍ଚ୍ଚା ଚାଲିଛି ।
ନିଶ୍ଚିନ୍ତକୋଇଲି ପଂଚାୟତ ସମିତି କଟକ ଜିଲ୍ଲା ଏକ ବଡ ପଂଚାୟତ ସମିତି ଅଟେ । ଏହା ୪୧ ଗୋଟି ପଂଚାୟତକୁ ନେଇ ଗଠିତ । କଟକ ସଦର ନିର୍ବାଚନ ମଣ୍ଡଳୀର ୧୪ ଗୋଟି ପଂଚାୟତ ଓ ସଂସ୍କୃତି ସମ୍ପନ୍ନ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ୨୭ ଗୋଟି ପଂଚାୟତକୁ ନେଇ ଏହି ବ୍ଳକ ଗଠିତ । କଟକ ସଦର ଶାସନ ବିଜୁ ଜନତା ଦଳ ତଥା ଯୁବ ମାନସର ପ୍ରତୀକ ଚନ୍ଦ୍ର ସାରଥି ବେହେରା ବିଧାୟକ ଥିଲାବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଓଡିଶା ସରକାରଙ୍କର ଜଣେ ଟାଣୁଆ ମନ୍ତ୍ରୀ ଭାବରେ ପ୍ରତାପ ଜେନା ପ୍ରତିନିଧିତ୍ୱ କରୁଛନ୍ତି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିିର୍ବାଚନରେ ଚନ୍ଦ୍ର ସାରଥି ଓ ମନ୍ତ୍ରୀ ପ୍ରତାପ ଜେନା ରାଜନୀତିକ ସଫଳତା ଯୋଗୁ ନିଶ୍ଚିନ୍ତକୋଇଲି ବ୍ଳକର ୫ ଟି ଜିଲ୍ଲାପରିଷଦ ଆସନ ବିଜେଡି ହାତକୁ ଯାଇଛି । ବିଜେପି ଏଠି ଚିତ୍ ପଟାଙ୍ଗ ମାରିଛି । କଟକ ସଦର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୨୮ ନଂ ଓ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୨୬ ନଂ ଜୋନ୍ କୁ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ହାତରୁ ବିଜେଡି ଜନମତରେ ଛଡାଇ ଆଣିଛି । ଚନ୍ଦ୍ର ସାରଥି ବେହେରା ୧୪ ଟି ଗ୍ରାମ ପଂଚାୟତରୁ ତାଙ୍କର ପ୍ରତିନିଧିତ୍ୱ ତଥା ପର୍ଯ୍ୟବେକ୍ଷକ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ତତ୍ୱାବଧାନାରେ ୧୨ ଟି ସମିତିସଭ୍ୟଙ୍କୁ ବିଜୟୀ କରିଥିଲା ବେଳେ ଶାସକ ଦଳ ହାତରୁ ୨ ଟି ସମିତିସଭ୍ୟ ଆସନ ଅଳ୍ପ ବ୍ୟବଧାନରେ ସ୍ୱାଧୀନ ହାତକୁ ଚାଲିଯାଇଅଛି । ସେହିପରି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ୨୭ ଟି ଗ୍ରାମ ପଂଚାୟତ ଅଧିନରେ ଥିବା ଦଳକୁ ୧୮ ଟି ସମିତିସଭ୍ୟ ସଭ୍ୟା ବିଜୟୀ କରିପାରିଛନ୍ତି । ସେହିପରି ଭାବେ ଦୁଇ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚିତ ହୋଇଥିଲା ବେଳେ ସମସ୍ତଙ୍କୁ ଚକିତ କରି ୭ ଟି ସମିତିସଭ୍ୟସଭ୍ୟାଙ୍କୁ ବିଜେପି ବିଜୟୀ କରାଇଛି । ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଅଧ୍ୟକ୍ଷ ପଦ ପାଇଁ ନିଶ୍ଚିନ୍ତକୋଇଲି ବ୍ଳକ ନିମନ୍ତେ ତଫସିଲଭୁକ୍ତ ଜାତିଙ୍କ ପାଇଁ ସଂରକ୍ଷଣ ହୋଇଅଛି । ତେବେ ଏହି ପଂଚାୟତ ସମିତି ନିମନ୍ତେ ଜଣେ ଦକ୍ଷ ଦଳିତ ମହିଳାଙ୍କୁ ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚିତ କରାଯିବା ନିମନ୍ତେ ରାଜନୀତିକ ସ୍ତରରେ ବ୍ୟାପକ ବିଚାର ବିମର୍ଷ ହୋଇଛି । ପ୍ରତାପ ଜେନାଙ୍କ ଏକାନ୍ତ ଅନୁଗତ କୁହାଯାଉଥିବା ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ରଙ୍କ କାର୍ଯ୍ୟ ଦକ୍ଷତା, ରାଜନୈତିକ ଗୋଟି ଚାଳନା ସମସ୍ତଙ୍କୁ ଚକିତ କରିବ । ଶ୍ରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ପଂଚାୟତ ସମିତି ଅଧ୍ୟକ୍ଷା ନିର୍ବାଚିତ ହେବେ । ତାଙ୍କ ଇଙ୍ଗିତରେ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଗତ ୨୦୧୭ ମସିହାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଏକାନ୍ତ ଅନୁଗତ୍ୟ ଯୁବନେତା ଅଶୋକ ଓଝାଙ୍କ ପତ୍ନୀ ସବିତା ଓଝାଙ୍କୁ ଅଧ୍ୟକ୍ଷା ପଦରେ ଅଳଙ୍କୃତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳ ସୁରୁଖୁରୁରେ ୫ ବର୍ଷ ପୁରି ଯାଇଥିଲେ ମଧ୍ୟ ତାଙ୍କର ସ୍ୱାମୀ ଅଶୋକ ଓଝା ଜିଗ୍ନିପୁର ସମିତିସଭ୍ୟ ଭାବେ ନିର୍ବାଚିତ ହୋଇଛନ୍ତି । ସେ ମଧ୍ୟ ଉପାଧ୍ୟକ୍ଷ ପଦ ପାଇଁ ଆଶୟୀ ଅଛନ୍ତି । ସେହିପରି କଟକ ସଦର ନିର୍ବାଚନ ମଣ୍ଡଳୀର ଅଧ୍ୟକ୍ଷା ପଦବୀ ପାଇଁ ହକଦାର ଥିଲେ ମଧ୍ୟ ତାଙ୍କର ରଣକୌଶଳ କିପରି ହେବ ତାହା ଆଗାମୀ ଦିନ କହିବ ।
ଅପରପକ୍ଷରେ ପଂଚାୟତରାଜ ମନ୍ତ୍ରୀ ଶ୍ରୀ ଜେନାଙ୍କ ନିର୍ଦ୍ଦେଶକ୍ରମେ ସମିତି ସଭ୍ୟ ସଭ୍ୟମାନେ ନେତାଙ୍କ ଆଦେଶକୁ ମାନିବା ପାଇଁ ଅନାଇ ବସିଛନ୍ତି । ତେବେ ରାେଜି ସେଠୀଙ୍କ ନାମ ସମସ୍ତଙ୍କ ଆଗରେ ଚର୍ଚ୍ଚା ହେଉଅଛି । ସେ ଜଣେ ଉଚ୍ଚ ଶିକ୍ଷିତା, ସୁଗୃହିଣୀ, ମେଳାପୀ ସ୍ବଭାବର ବୋଲି ସମସ୍ତେ ଜାଣିଛନ୍ତି । ତେଣୁ ଆଗାମୀ ସମୟ ତାଙ୍କ ପାଇଁ କ’ଣ ହେବ ତାହା ସମୟ ହିଁ କହିବ । ତେବେ ଦଳୀର ମୁଖ୍ୟଙ୍କ ନିଷ୍ପତି ଯାହା ହେବ ତାହାକୁ ସମସ୍ତେ ମାନିବେ । ଏଣୁ ଗିରିଶ ରଂଜନ ମହାପାତ୍ରଙ୍କ ଗୋଟି ଚାଳନା ସମସ୍ତଙ୍କୁ ଚକିତ କରିବ ବୋଲି ବିଭିନ୍ନ ପଂଚାୟତର ରାଜନୈତିକ ବ୍ୟକ୍ତିମାନେ କହିଛନ୍ତି । ଦେଖାଯାଉ କାହା ମୁଣ୍ଡରେ ସିରିପା ଭିଡ଼ାହେବ ।