ବାରିପଦା – ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମନ୍ୱିତ ବିଏଡ୍ ଓ ଏମଏଡ୍ ଛାତ୍ରଛାତ୍ରୀମାନେ ସେମାନଙ୍କ ଭବିଷ୍ୟତର ସୁରକ୍ଷା ଦାବି କରି ନଭେମ୍ବର ୫ରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରୁ ଭୁବନେଶ୍ୱର ଲୋକ ସେବା ଭବନ ଅଭିମୁଖେ ଅହିଂସା ପଦଯାତ୍ରାରେ ବାହାରିବା ପରେ ଜିଲ୍ଲାପ୍ରଶାସନର ଚେତା ପଶିଲା ।
ଛାତ୍ରଛାତ୍ରୀମାନେ ପଦଯାତ୍ରା ଆରମ୍ଭ କରିବା ଖବର ପ୍ରଚାରିତ ହେବା ପରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ମିଥ ପି. ପରମାର ପ୍ରମୁଖ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସରରେ ପହଁଂଚି ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ । ଶେଷରେ ଜିଲ୍ଲାପାଳ ଶ୍ରୀଭରଦ୍ୱାଜ ଆସନ୍ତା ତିନି ଦିନ ମଧ୍ୟରେ ସେମାନଙ୍କର ଦାବି ପୂରଣ କରାବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପଦକ୍ଷାତ୍ରା ଆନେ୍ଦାଳନକୁ ପ୍ରତ୍ୟାହୃତ କରିଥିଲେ ଏବଂ ଜିଲ୍ଲାପାଳ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାରେ ଅସମର୍ଥ ପ୍ରକାଶ କଲେ ୩ ଦିନ ପରେ ପୁଣି ଛାତ୍ରଛାତ୍ରୀମାନେ ସେମାନଙ୍କ ପଦଯାତ୍ରା ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏହି ସମୟରେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପରିସର ପୁଲିସ ଛାଉଣୀରେ ପରିଣତ ହୋଇଯାଇଥିବାର ପରିଲକ୍ଷିତ ହୋଇଥିଲା ।
ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ସମନ୍ୱିତ ବିଏଡ୍ ଓ ଏମଏଡ୍ ଛାତ୍ରଛାତ୍ରୀମାନଙ୍କ ଆନେ୍ଦାଳନକୁ ସମର୍ଥନ ଜଣାଇ ଭାଜପାର ବଡ଼ସାହି ବିଧାୟକ ସନାତନ ବିଜୁଳି ଓ ସାରସକଣା ବିଧାୟକ ଡ଼ା. ବୁଢ଼ାନ ମୁର୍ମୁ ପଦଯାତ୍ରାରେ ସାମିଲ ହୋଇଥିଲେ ।
ସୂଚନାଯୋଗ୍ୟ ଯେ ଉତର ଓଡ଼ିଶା ବିଶ୍ୱବିଦ୍ୟାଳୟର ସମନ୍ୱିତ ବିଏଡ୍ ଓ ଏମଏଡ୍ ପାଠ୍ୟକ୍ରମରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସମନ୍ୱିତ ପାଠ୍ୟକ୍ରମର ଅର୍ଥ ବିଏଡ୍ ଓ ଏମଏଡ୍ ପାଠ୍ୟକ୍ରମର ସମ୍ମଳିତ ରୂପ ହୋଇଥିବା ସମୟରେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ କେବଳ ଏମଏଡ଼୍ ପାଠ୍ୟକ୍ରମ ସମ୍ବନ୍ଧୀୟ ପରୀକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରୁଥିବା ସମୟରେ ବିଏଡ଼୍ ପାଠ୍ୟକ୍ରମ ସମ୍ବନ୍ଧୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି, ଓଏସଏସଟିଇଟି ଏବଂ ସିଟିଇଟିରୁ ବଂଚିତ କରିଆସୁଛନ୍ତି । ବର୍ତମାନ ପର୍ଯ୍ୟନ୍ତ ଉତୀର୍ଣ୍ଣ ହୋଇସାରିଥିବା ମୋଟ ୫୦ରୁ ଅଧିକ ଛାତ୍ରଛାତ୍ରୀମାନେ ଶିକ୍ଷକ ଚୟନ ଯୋଗ୍ୟତା ପରୀକ୍ଷାରୁ ବଂଚିତ କରାଯାଇଆସୁଛି । ଏହି ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷ ଓ ଓଡ଼ିଶା ଗଣଶିକ୍ଷା ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଇ ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । କେବଳ ଆଶ୍ୱାସନା ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ ସୀମିତ ରଖାଯାଇ ଆସୁଛି । ଗଣଶିକ୍ଷା ବିଭାଗ ଅଭିଯୋଗ ପ୍ରକୋÂ ସହ ଜାତୀୟ ଶିକ୍ଷକ ଶିକ୍ଷଣ ପରିଷଦର ଆଂଚଳିକ ସମିତିକୁ ଯାଇ ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଯୋଗ ଜଣାଇ ସାରିଛନ୍ତି । ଏଥି ସହିତ ଉଚ୍ଚ ଶିକ୍ଷାମନ୍ତ୍ରୀ ଡ଼ଃ. ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ପ୍ରମୁଖଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ପ୍ରତାପ ଷଢ଼ଙ୍ଗୀ ଏବଂ କେନ୍ଦ୍ର ମାନବ ସମ୍ବଳ ବିଭାଗ ମନ୍ତ୍ରୀ ଡ଼ଃ ରମେଶ ପୋଖରୀୟାଲଙ୍କୁ ମଧ୍ୟ ସାକ୍ଷାତ କରି ସମସ୍ୟାର ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ ଦେବାକୁ ୫ ମାସ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଅଦ୍ୟାବଧି କୌଣସି ପଧକ୍ଷେପ ଗ୍ରହଣ କରାଯାଇ ପାରିଲା ନାହିଁ । ପୁଣି ଗତ ଅକ୍ଟୋବର ୨୯ରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କୁ ସାକ୍ଷାତ କରି ଛାତ୍ରଛାତ୍ରୀମାନେ ସେମାନଙ୍କର ଦାବିପତ୍ର ପ୍ରଦାନ କରିଥିଲେ ଏବଂ ଦାବିପତ୍ରରେ ଆସନ୍ତା ୭ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ଭୁବନେଶ୍ୱର ପଦଯାତ୍ରାରେ ବାହାରିବେ ବୋଲି ଚେତାବନୀ ଦେଇଥିଲେ । ଏଥି ସହିତ ଅଧିକାଂଶ ଛାତ୍ରୀ ରହିଥିବାରୁ ପଦଯାତ୍ରାରେ ବାହାରିବା ସମୟରେ ସେମାନଙ୍କ ସୁରକ୍ଷା ଆଦିରେ କୌଣସି ଅସୁବିଧା ଦେଖାଦେଲେ ସରକାର ଓ ଜିଲ୍ଲାପ୍ରଶାସନ ଉତରଦାୟୀ ରହିବେ ବୋଲି ମଧ୍ୟ ସ୍ମାରକ ପତ୍ରରେ ଉଲ୍ଲେଖ କରାଇଥିଲେ ।