
ନୂଆଦିଲ୍ଲୀ, ଭାରତୀୟ ନୌସେନା ଦ୍ଵାରା ଶନିବାର କୁଶଳୀ ବିଧ୍ଵଂସକ ଯୁଦ୍ଧ ପୋତ ଆଇଏନଏସ ଚେନ୍ନାଇରୁ ବ୍ରହ୍ମୋସ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଏହା ହେଉଛି ବ୍ରହ୍ମୋସର ପରିବର୍ଦ୍ଧିତ ସଂସ୍କରଣ ଯାହାକି ଅଧିକ ଦୂରବର୍ତ୍ତୀ ସ୍ଥଳ ଭାଗରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ। ପରୀକ୍ଷା ସମୟରେ ଏହି କ୍ଷେପଣାସ୍ତ୍ର ପରିବର୍ଦ୍ଧିତ ଦୂରତା ବିଶିଷ୍ଟ ପ୍ରକ୍ଷେପ ପଥକୁ ଅତିକ୍ରମ କରିବା ସହିତ ଜଟିଳ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ସମ୍ପୂର୍ଣ୍ଣ ସଠିକ୍ ଭାବେ ନିର୍ଦ୍ଧାରିତ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ ହୋଇଥିଲା। ଉଭୟ ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ ଆଇଏନଏସ ଚେନ୍ନାଇ ସ୍ଵଦେଶୀ ଜ୍ଞାନକୌଶଳରେ ନିର୍ମିତ ହୋଇଛି । ଏଥିରେ ଭାରତ ନିର୍ମିତ କ୍ଷେପଣାସ୍ତ୍ରର ଅତ୍ୟାଧୁନିକ ସାମର୍ଥ୍ୟ ଏବଂ ଜାହାଜ ନିର୍ମାଣ ଶୈଳୀ ପରିଲକ୍ଷିତ ହୋଇଛି । ଆତ୍ମନିର୍ଭର ଭାରତ
ଏବଂ ମେକ୍ ଇଣ୍ଡିଆ ଅଭିଯାନରେ ଭାରତୀୟ ନୌସେନାର ଯୋଗଦାନକୁ ଏହା ସୁଦୃଢ଼ କରୁଛି ।ଏହି ଉପଲବ୍ଧି ଫଳରେ ଭାରତୀୟ ନୌସେନାର ପ୍ରତିରକ୍ଷା କ୍ଷମତା ସୁଦୃଢ଼ ହୋଇଛି । ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଜରିଆରେ ଭାରତୀୟ ନୌସେନା ଆବଶ୍ୟକତା କ୍ଷେତ୍ରରେ ସମୁଦ୍ର ଠାରୁ ଅଧିକ ଦୂରବର୍ତ୍ତୀ ସ୍ଥଳଭାଗରେ ଥିବା ଲକ୍ଷ୍ୟ ଭେଦ କରିବାକୁ ସକ୍ଷମ ହୋଇପାରିବ ।