ଭୁବନେଶ୍ୱର – ପବିତ୍ର ଅଳାଁ ନବମୀ ଅବସରରେ ପୁରୁଣା ଭୁବନେଶ୍ୱରସ୍ଥିତ ଅନନ୍ତ ବାସୁଦେବ ମନ୍ଦିରରେ ଶ୍ରଦ୍ଧାଳୁ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ଶ୍ରଦ୍ଧାଳୁମାନେ ଅଳାଁ ଗଛ ମୂଳରେ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରୀରାଧା ପାଦ ଦର୍ଶନ ଲାଗି ଭିଡ଼ ଜମିଛି । ଶ୍ରଦ୍ଧାଳୁମାନେ ଧାଡିରେ ଯାଇ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବା ସହ ତାଙ୍କ ପାଦ ଦର୍ଶନ କରିଛନ୍ତି ।
ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୋଥ, ·ପସରିଡେଉଁରିଆ, ପଣସକଂଟା, ଖଡୁ, ପାଉଁଜି, ପାଦପଦ୍ମ ଝୁଂଟିଆ ଆଦି ଲାଗି ହୋଇଛି । ରାତିରୁ ମନ୍ଦିରର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଧନ, ଅବକାଶ ପରେ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଏବଂ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଛି ।
ଭୋର ସମୟରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି । ପ୍ରଥମେ ସେବାୟତ ଓ ମନ୍ଦିର କର୍ମ·ରୀ ରାଧାପାଦ ଦର୍ଶନ କରିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ସାହାଣମେଲା ହୋଇଥିଲା । ଗର୍ଭଗୃହ ଭିତରେ ପଶି ଶ୍ରଦ୍ଧାଳୁମାନେ ମା’ଙ୍କ ପାଦ ଦର୍ଶନ କରୁଛନ୍ତି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଟ୍ କରାଯାଇ ଶ୍ରଦ୍ଧାଳୁଙ୍କୁ ଧାଡିରେ ଛଡାଯାଉଛି ।