ବଲାଙ୍ଗିର, ବଲାଙ୍ଗିର ସହର ରବିଦାସ ନଗରଠାରେ ଭାଇ ଭାଇ ମଧ୍ୟରେ କଳହ ହୋଇ ବଡ଼ ଭାଇ ସାନ ଭାଇକୁ ହତ୍ୟା କରିଛି । ମୃତକ ଜଣକ ରବିଦାସ ନଗରର ଜୋସେଫ ରୋହିଦାଶ ବୋଲି ଜଣାପଡିଛି ।
ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ଜୋସେଫ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଆସିଥିଲେ । ଛୋଟ ଶିଶୁଙ୍କ କଥାକୁ ଧରି ସେ ବଡ଼ଭାଇ ରାଜିନ ରୋହିଦାଶଙ୍କ ସହିତ ପାଟି ତୁଣ୍ଡ କରିଥିଲେ। ଏଥିରେ ରାଜୀନ ଉତ୍ୟକ୍ତ ହୋଇ ଜୋସେଫଙ୍କ ତଣ୍ଟିକୁ ଜୋର୍ ରେ ଧରି ମୁହଁକୁ ମୁଥ ମାରିଥିଲେ । ବଡ଼ଭାଇର ଆକ୍ରମଣରେ ସାନଭାଇ ଚେତାଶୂନ୍ୟ ହୋଇ ତଳେ ପଡ଼ିଯାଇଥିଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଭୀମଭୋଇ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଜୋସେଫଙ୍କ ମୃତଦେହକୁ ପରିବାର ଲୋକେ ଘରକୁ ଆଣି ରଖିଥିବାବେଳେ ଟାଉନ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ବଡ଼ ଭାଇ ରାଜିନଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ।