ବଲାଙ୍ଗିର, ଗତକାଲି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଭାଗୃହରେ ବଲାଙ୍ଗିର ଜିଲ୍ଲାରେ ସାମ୍ଭବ୍ୟ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିରେ ମୁକାବିଲା ନିମନ୍ତେ ବିଭିନ୍ନ ବିଭାଗ ତରଫରୁ ଗ୍ରହଣ କରାଯାଇଥିବା ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ ଏକ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଭର୍ଚୁଆଲ ମୋଡରେ ଜିଲ୍ଲାପାଳ ଚଞ୍ଚଲ୍ ରାଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଅତିରିକ୍ତ ଜିଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପି ଡି ଡିଆରଡିଏ ସୁଶାନ୍ତ କୁମାର ସିଂହ, ସିଡିଏମଓ ଡଃ. ସ୍ନେହଲତା ସାହୁ, ବଲାଙ୍ଗିର ଉପଜିଲ୍ଲାପାଳ ଲମ୍ବୋଧର ଧରୁଆଙ୍କ ସମେତ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିନା ନାଏକ ଏବଂ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବ୍ଳକ ଭିଡ଼ିଓ କନଫରେନ୍ସ ହଲ୍ ଠାରେ ସମ୍ପୃକ୍ତ ବ୍ଳକ ର ବିଡିଓ ତହସିଲଦାର ମାନେ ଉପସ୍ଥିତ ଥିଲେ । ସାମ୍ଭବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିରେ ମୁକାବିଲା ନିମନ୍ତେ ବିଭାଗୀୟ ଅଧିକାରୀମାନେ ସଜାଗ ଓ ତତ୍ପର ରହିବା ସହିତ କ୍ଷେତ୍ରରେ ଥିବା କର୍ମଚାରୀ ଓ ଅଧିକାରୀମାନଙ୍କୁ ଏ ସମ୍ପର୍କରେ ସୂଚୀତ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ପାନୀୟ ଜଳର ସମସ୍ୟା ସମ୍ପର୍କରେ ଅଭିଯୋଗ ପାଇବା ମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଓ ସମସ୍ୟାର ସମାଧାନ କରିବାକୁ ସେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହା ବ୍ୟତୀତ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହଜନିତ ଅଂଶୁଘାତର ମୁକାବିଲା ପାଇଁ ଜିଲ୍ଲାର ପ୍ରତ୍ୟେକ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲ ଗୁଡିକରେ ପର୍ଯ୍ୟାପ୍ତ ଔଷଧ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବାକୁ ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲ ଗୁଡିକରେ ଅଂଶୁଘାତଜନିତ ରୋଗୀଙ୍କର ଚିକିତ୍ସା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାର ପ୍ରତ୍ୟେକ ବ୍ଳକ, ତହସିଲ, ଆରଡବ୍ଲୁଏସଏସ, ପ୍ରାଣୀ ସମ୍ପଦ ତଥା ଅନ୍ୟାନ୍ୟ ସମ୍ପୃକ୍ତ କାର୍ଯ୍ୟାଳୟ ଗୁଡିକରେ କଣ୍ଟ୍ରୋଲ୍ ରୁମ୍ ଖୋଲିବା ସହିତ ଜନସାଧାରଣଙ୍କୁ ଅବଗତ କରିବା ନିମନ୍ତେ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତିର ମୁକାବିଲା ନିମନ୍ତେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଅଚଳାବସ୍ଥାରେ ଥିବା ନଳକୂପ ତଥା ଅନ୍ୟ ଜଳଉତ୍ସ ଗୁଡିକ ତୁରନ୍ତ କାର୍ଯ୍ୟକ୍ଷମ କରିବା, ପାନୀୟ ଜଳଯୋଗାଣ ଓ ତତ୍ ସଂକ୍ରାନ୍ତୀୟ ସମସ୍ୟା ଗୁଡିକର ସମାଧାନ ସକାସେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା, ଅଂଶୁଘାତଜନିତ ମୃତ୍ୟୁର ଯଥାଶୀଘ୍ର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା, ଜିଲ୍ଲାର ପ୍ରତ୍ୟେକ ପୌର ପରିଷଦ, ଏନଏସି, ବ୍ଲକ, ପଞ୍ଚାୟତ ଗୁଡିକର ଗୁରୁତ୍ଵପୂର୍ଣ୍ଣ ଓ ଜନଗହଳି ସ୍ଥାନରେ, ବସଷ୍ଟାଣ୍ଡ ଗୁଡିକରେ ଜଳଛତ୍ରମାନ ଖୋଲିବା, ଜଳକଷ୍ଟ ଅଞ୍ଚଳରେ ଟ୍ୟାଙ୍କର ମାଧ୍ୟମରେ ଜଳଯୋଗାଣ କରିବା ଇତ୍ୟାଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ଯାତ୍ରୀବାହୀ ବସ୍ ତଥା ଯାତ୍ରୀ ପରିବହନ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ ଏବଂ ଓଆରଏସ ପ୍ୟାକେଟ୍ ରଖିବା ସକାସେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଆରଟିଓ ଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଏତଦ୍ ବ୍ୟତୀତ ଶ୍ରମିକ ମାନେ କାର୍ଯ୍ୟ କରୁଥିବା କାର୍ଯ୍ୟସ୍ଥଳରେ ପର୍ଯ୍ୟାପ୍ତ ପରିମାଣରେ ପାନୀୟ ଜଳ, ଓଆରଏସ୍ ପ୍ୟାକେଟ୍ ତଥା ଆଶ୍ରୟ ସ୍ଥଳ ବ୍ୟବସ୍ଥା କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ସମୟରେ ଗୋରୁ ଗାଈ ଇତ୍ୟାଦି ପ୍ରାଣୀ ସମ୍ପଦ ପାଇଁ ପିଇବା ପାଣିର ବ୍ୟବସ୍ଥା ତଥା ଔଷଧ ରଖିବା ନିମନ୍ତେ ସିଡିଭିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ସାମାଜିକ ସୁରକ୍ଷା ଯୋଜନା ଜରିଆରେ ଚାଉଳ ତଥା ଅନ୍ୟାନ୍ୟ ଭତା ପାଉଥିବା ହିତାଧିକାରୀ ଏବଂ ପେନସନ୍ ଭୋଗୀଙ୍କୁ ସକାଳ ୯ ଟା ସୁଦ୍ଧା ନିର୍ଦ୍ଧାରିତ ତାରିଖ ମାନଙ୍କରେ ବଣ୍ଟନ କରିବାକୁ ସମସ୍ତ ବିଡିଓ ଏବଂ ନିର୍ବାହୀ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତି ସମ୍ପର୍କରେ ମୁକାବିଲା ଓ ଅଂଶୁଘାତ ସମ୍ପର୍କରେ ସତର୍କତା ତଥା ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ବୈଠକ ଶେଷରେ ଅତିରିକ୍ତ ଜିଲାପାଳ ଶ୍ରୀ ଲାଗୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।